ପଦ୍ମପୁର: ଅନଲାଇନରେ ପାଠପଢ଼ା ଜଣେ ଛାତ୍ରଙ୍କ ପାଇଁ କାଳ ହୋଇଛି । ମୋବାଇଲ ନେଟୱର୍କ ନଥିବାରୁ ସଂପୃକ୍ତ ଛାତ୍ର ଜଣକ ଗୋଟିଏ ପାହାଡ଼ ଉପରେ ଚଢ଼ିଥିଲେ । ମୋବାଇଲରେ ନେଟୱାର୍କ ଆସିବ, ସିଏ ପାଠ ପଢ଼ିବେ । ହେଲେ, ପଥର ଧସିଯିବାରୁ ତାଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ଼ ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, କନ୍ଧପାଣ୍ଡୁରାଗୁଡ଼ା ଗାଁର ନରହରି ଜାଗରଙ୍ଗାଙ୍କ ପୁଅ ଅଦ୍ରିଆ ଜାଗରଙ୍ଗା (୧୩ବର୍ଷ) କଟକ ମିସନାରି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଥିଲେ । ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ରହିଥିବାରୁ ସେ ଘରକୁ ଚାଲି ଆସିଥିଲେ । କିନ୍ତୁ ନିୟମିତ ଭାବେ ଅନଲାଇନ କ୍ଲାସ କରୁଥିଲେ । ଗାଁରେ ମୋବାଇଲ ନେଟୱର୍କ ରହୁ ନଥିବାରୁ ନିୟମିତ ଭାବେ ଘର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପାହାଡ଼ ଉପରକୁ ଯାଉଥିଲେ । ପାଠ ପରେ ଘରକୁ ଫେରୁଥିଲେ । ଅନ୍ୟଦିନ ଭଳି ଆଜି ମଧ୍ୟ ଅଦ୍ରିଆ ଏକୁଟିଆ ମୋବାଇଲ ଫୋନ ନେଇ ପାହାଡ଼ ଉପରକୁ ପଢ଼ିବା ପାଇଁ ଯାଇଥିଲେ । ସଂଧ୍ୟା ପ୍ରାୟ ୫ଟାରେ ଗୋଟିଏ ପଥର ଉପରେ ବସି ପାଠ ପଢ଼ିବା ସମୟରେ ହଠାତ ଉକ୍ତ ପଥରଟି ଧସି ଯାଇଥିଲା । ଯାହାଫଳରେ ଭାରସାମ୍ୟ ହରାଇ ଅଦ୍ରିଆ ତଳକୁ ଖସି ପଡ଼ିବାରୁ ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗି ଯାଇ ଗୁରୁତର ଆହତ ହୋଇଥିଲା । ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ଛାତ୍ରଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ନ ଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ସ୍ଥାନାନ୍ତର ପୂର୍ବରୁ ହିଁ ଅଦ୍ରିଆଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।
Powered by Froala Editor
