କୋରାପୁଟ : ବିରୋଧୀଙ୍କ ସହ ସଂଗଠିତ ହୋଇ ଲଢ଼ିବା ବଦଳରେ ପରସ୍ପର ବିରୋଧୀ ଲଢେ଼ଇକୁ ନେଇ ତେଜିଲା କୋରାପୁଟ ଜିଲ୍ଲା କଂଗ୍ରେସର କନ୍ଦଳ । ସୂଚନା ଅନୁଯାୟୀ, କେନ୍ଦ୍ର ରେଳମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ସାଂସଦ । ତେବେ ବିରୋଧୀ ଦଳକୁ ଟାର୍ଗେଟ କରିବା ବଦଳରେ ଏଠାରେ ନିଜ ଦଳର ନେତାଙ୍କ ଉପରେ ବର୍ଷିଥିଲେ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । ଜିଲ୍ଲାର ଜଣେ ମାତ୍ର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ କାହିଁକି ଡକାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେହିପରି ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ କେଉଁ ଆଧାରରେ ମଞ୍ଚରେ ବସିବାକୁ ଦିଆଗଲା ବୋଲି କହିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସେ ମଞ୍ଚରୁ ଉଠି ଆସି ତୁରନ୍ତ ପିସିସି ସଭାପତିଙ୍କୁ ଫୋନ କରି ଜଣାଇଥିଲେ । ତେବେ ପସିସି ସଭାପତିଙ୍କ ସହ ଶ୍ରୀମତୀ ବାହିନୀପତି କଣ କଥା ହେଲେ ସ୍ପଷ୍ଟ ହୋଇପାରି ନାହିଁ । ଗଣମାଧ୍ୟମ ସମ୍ମୁଖରେ ନିଜ ଅସନ୍ତୋଷ ଛାଡ଼ି କହିଥିଲେ, କୋରାପୁଟ ଜିଲ୍ଲା କଂଗ୍ରେସରେ କିଛି ଠିକ ଚାଲିନାହିଁ । ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରାଯାଉଛି । ଜିଲ୍ଲା ସଭାପତିଙ୍କ ବିରୋଧରେ ଗତ ଦିନରେ କୈଳାସ ଆଧାରହୀନ ଟିପ୍ପଣୀ ଦେଇଥିଲେ । ଏହା ଦଳ ବିରୋଧୀ କାର୍ଯ୍ୟ ହୋଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଦଳରେ ତାଙ୍କୁ ପ୍ରଶ୍ରୟ ଦିଆଯାଉଛି । ଯଦି ଏମିତି ଚାଲେ, ସେ ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ପିସିସି କାର୍ଯ୍ୟାଳୟକୁ ହଜାର ହଜାର କର୍ମୀଙ୍କୁ ନେଇ ପହଞ୍ଚିବେ । ସେହିଦିନ ହିଁ ଦଳରୁ ଇସ୍ତଫା ଦେଇଦେବେ ବୋଲି ଶ୍ରୀମତୀ ବାହିନୀପତି ଚେତାବନୀ ଦେଇଛନ୍ତି । ଏ ନେଇ ସାଂସଦ ସପ୍ତଗିରି ଉଲାକାଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିେ
Powered by Froala Editor
