ଭୁବନେଶ୍ୱର: ରାଜ୍ୟରେ ଦଶମ, ଦ୍ୱାଦଶ ପରେ ଗତ ୧୬ ତାରିଖରୁ ନବମ ଶ୍ରେଣୀରେ କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇଛି । ତେବେ ସ୍କୁଲ ଆସିବା ବାଧ୍ୟତାମୂଳକ କରାଯାଇନାହିଁ । ତେଣୁ ବହୁ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି । ସେପଟେ କିଛି ଅଭିଭାବକ ଭୟଭୀତ ହୋଇ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି । ତେବେ ରାଜ୍ୟ ସରକାର ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁ ବ୍ୟବସ୍ଥା କରିଛନ୍ତି । କୋଭିଡ ତୃତୀୟ ଲହରି ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ବିସ୍ତୃତ ଯୋଜନା କରିଥିବା ସୂଚନା ଦେଇଛନ୍ତି । ତଥାପି ସ୍କୁଲରେ କାହିଁକି କମୁଛି ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ସେ ବାବଦରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତର୍ଜମା କରିବ । ଅପରପକ୍ଷେ ବହୁ ଛାତ୍ରଛାତ୍ରୀ ସ୍କୁଲ ଆସୁନଥିବାରୁ କ୍ଲାସରୁମ ପାଠପଢ଼ା ସହ ଅନଲାଇନ ପାଠପଢ଼ା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏବେ ଦଶମ, ଦ୍ୱାଦଶ ଓ ନବମରେ କ୍ଲାସରୁମ ପାଠପଢ଼ା ପାଇଁ ଅଭିଭାବକମାନେ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ । ଯେଉଁ ଅଭିଭାବକ ଅନୁମତି ଦେଉନାହାନ୍ତି ସେ ଛାତ୍ରଛାତ୍ରୀଙ୍କ ପାଇଁ ୟୁ ଟୁ୍ୟବ ସମେତ ହ୍ୱାଟସ ଆପ ଓ ଜୁମ କ୍ଲାସରେ ପାଠପଢ଼ା ଜାରି ରହିଛି ।
Powered by Froala Editor
