5T ରେ ସ୍କୁଲ ରୂପାନ୍ତରଣ : ହିଞ୍ଜିଳିର ଆଉ ୧୦ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

5T ରେ ସ୍କୁଲ ରୂପାନ୍ତରଣ : ହିଞ୍ଜିଳିର ଆଉ ୧୦ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ରାଜନୀତି

ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି,  ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ : ମୁଖ୍ୟମନ୍ତ୍ରୀ   

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ  ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା  ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା,  ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ। ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି। ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଥିଲେ। ା

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି – 

(୧) ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଞ୍ଚାୟତ
(୨) କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ
(୩) ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଞ୍ଚାୟତ
(୪) ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ
(୫) ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ
(୬) କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ
(୭) ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାଯତ
(୮) ସହିଦ୍‌ ହାଇସ୍କୁଲ, ଟକରଡା ପଞ୍ଚାୟତ
(୯) ମା କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ
(୧୦) ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ



ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣ ରେ କିପରି  ପ୍ରମୁଖ ଭୂମିକା ନେଇଛି ସେ  ସଂପର୍କରେ ଆଲୋକପାତ କରି  ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5Tର  ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣ କୁ ସଫଳ କରିଛି । 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ  ଆଗ୍ରହ ସୃଷ୍ଟି କରିଛି  । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା  ସ୍କୁଲ ମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସ ରେ ଏକ ଗୌରବ ମୟ ଅଧ୍ୟାୟ ଯୋଡ଼ି ପାରିଛି ।

। ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ  ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ 5Tସଚିବ  ଶ୍ରୀ ଭି କେ ପାଣ୍ଡିଆନ୍ ।

 

Powered by Froala Editor