ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ମିଳିଛି ରାମାୟଣ ଯୁଗର କୀର୍ତ୍ତିରାଜି। କୋକସରା ବ୍ଲକ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ନେଇ ଗବେଷକମାନଙ୍କ ମଧ୍ୟରେ ବହୁ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସିଏଟ ପ୍ରଫେସର ଡ. ରାଜେନ୍ଦ୍ର ଗୁପ୍ତା ନିଜର ସନ୍ଦର୍ଭରେ ଗୁଡ଼ହାଣ୍ଡି ରାମାୟଣ ଯୁଗର କୀର୍ତ୍ତିରାଜି ବୋଲି ତଥ୍ୟ ଉପସ୍ଥାପନ କରିଛନ୍ତି। ଏହାର ଗବେଷଣା କରାଗଲେ ଆହୁରି ରହସ୍ୟ ଉନ୍ମୋଚିତ ହେବ ବୋଲି ଗବେଷକ ତଥା ଭବାନୀପାଟଣା ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ବାବା ମିଶ୍ର ପ୍ରକାଶ କରିଛନ୍ତି। ସେ ଗୁଡ଼ହାଣ୍ଡି ଉପରେ ଗବେଷଣା ସମୟରେ ଡ. ଗୁପ୍ତାଙ୍କୁ ସହଯୋଗ କରିଥିବାବେଳେ ତାଙ୍କ ସନ୍ଦର୍ଭ ଉପସ୍ଥାପନ ବେଳେ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ଅଧିକ ଗବେଷଣା ନିମନ୍ତେ ପଦକ୍ଷେପ ନେବା ସହିତ ମାନବ ସଂଗ୍ରହାଳୟ ସ୍ଥାପନ ପାଇଁ ଦାବି ହୋଇଛି। ଡ. ଗୁପ୍ତାଙ୍କ କହିବା ଅନୁଯାୟୀ ଖଲିଗଡ଼-ଗୁଡ଼ହାଣ୍ଡି-ଡୋକରିଚଞ୍ଚରା ଏବଂ ରାମାୟଣର ବର୍ଣ୍ଣନା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ୧୦ଟି ପ୍ରମାଣ ଆଧାରରେ ଡ. ଗୁପ୍ତା ଏହି ଅଞ୍ଚଳକୁ କିସ୍କିନ୍ଦା ଅଞ୍ଚଳ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଛନ୍ତି । ୧୯୯୦ ମସିହାରେ ଅଯୋଧ୍ୟାରୁ ଜଣେ ସନ୍ନ୍ୟାସୀ ଆସି ଟେମରା ନିକଟ ମୁଣ୍ଡିଆ ପାହାଡ଼ଠାରେ ୨୧ ଦିନ ଧରି ଧ୍ୟାନରେ ରହିଥିଲେ। ଧ୍ୟାନ ଭଙ୍ଗ ପରେ ଗୁଡ଼ହାଣ୍ଡି ଡୋକରିଚଞ୍ଚରାରେ ଶ୍ରୀରାମ ବନବାସ ବେଳେ ଅବସ୍ଥାନ କରିଥିଲେ ବୋଲି ଗ୍ରାମବାସୀଙ୍କୁ କହିଥିଲେ । ୨୦୧୫ ମସିହାରେ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଠାରେ ଗ୍ରାମବାସୀଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ କରାଯାଇଥିଲା । ପ୍ରତିବର୍ଷ ରାମ ନବମୀ ବେଳେ ଏଠାରେ ବିଭିନ୍ନ କାର୍ୟ୍ୟକ୍ରମ ଓ ପୂଜାର୍ଚ୍ଚନା କରାଯାଇଥାଏ । ବର୍ତ୍ତମାନ ଏହି ଗୁଡ଼ହାଣ୍ଡି ଉପରେ ଅଧିକ ଗବେଷଣା କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।
Powered by Froala Editor
