ୱାସିଂଟନ: ଆଫଗାନିସ୍ତାନ ସଙ୍କଟ ଆଉ ଆଇଏସ୍ଆଇଏସ୍-କେର ଆକ୍ରମଣରେ ୧୩ ଆମେରେକୀୟ ସୈନ୍ୟଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ଅସନ୍ତୋଷ ପ୍ରକାଶ ପାଇଛି। ଏପରି ସମୟରେ ତାଲିବାନ ହାତରେ ୬ ଲକ୍ଷ ଆମେରେକୀୟ ବନ୍ଧୁକ ଆଉ ୨୦୦ରୁ ଅଧିକ ହେଲିକପ୍ଟର ପଡ଼ିଥିବା ଖବର ପ୍ରକାଶ ପାଇବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଅଡ଼ୁଆ ବଢ଼ିଛି। ଦେଶର ୬୯ ସାଂସଦ ତାଙ୍କୁ ଏ ନେଇ ପ୍ରଶ୍ନ କରିଛନ୍ତି। ବାଇଡେନ ନେଇଥିବା ନିଷ୍ପତ୍ତିକୁ ବିନାଶକାରୀ ବୋଲି ବିରୋଧୀ ରିପବ୍ଲିକାନ ସାଂସଦମାନେ କହିଛନ୍ତି । ବାଇଡେନଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ତାଲିବାନ ହାତକୁ ସଂପୂର୍ଣ୍ଣ ଆଫଗାନିସ୍ତାନର ନିୟନ୍ତ୍ରଣ ଚାଲିଗଲା ଏବଂ ଏଥିପାଇଁ ପୂରା ବିଶ୍ୱ ବିପଦଗ୍ରସ୍ତ ହୋଇଛି ବୋଲି ରିପବ୍ଲିକାନ ସାଂସଦମାନେ କହିଛନ୍ତି । ଆମେରିକା କଂଗ୍ରେସର ୬୯ ସାଂସଦ ଏକ ପତ୍ର ଲେଖି ବାଇଡେନଙ୍କୁ ୧୫ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଦେଶବାସୀଙ୍କ ସମ୍ମୁଖରେ ଏହାର ଉତ୍ତର ରଖିବାକୁ କହିଛନ୍ତି । ଆଫଗାନିସ୍ତାନରୁ ନାଗରିକଙ୍କୁ ଖାଲି କରିବା, ଆଫଗାନିସ୍ତାନରେ ଆମେରିକା ନିର୍ମାଣ କରିଥିବା ସାମରିକ ଘାଟିଗୁଡ଼ିକର ଭବିଷ୍ୟତ, ଅଲଏକାଏଦା ଏବଂ ଆଇଏସ-କେକୁ ନେଇ ଗୁଇନ୍ଦା ବିଭାଗର ବିଫଳତା ନେଇ ବିଭିନ୍ନ ପ୍ରଶ୍ନ କରାଯାଇଛି । ଏହା ସହିତ ଏବେ ତାଲିବାନ ଆମେରିକା ସେନାର ୬ ଲକ୍ଷ ବନ୍ଧୁକ ଏବଂ ୨୦୦ରୁ ଅଧିକ ହେଲିକପ୍ଟର ଓ ବିମାନ ନିଜ ନିୟନ୍ତ୍ରଣକୁ ନେଇଥିବାରୁ ବାଇଡେନ ଏ ବାବଦରେ ବିଶ୍ୱବାସୀଙ୍କୁ କ’ଣ କହିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
Powered by Froala Editor
