ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ର:ଏଥର କାହା ସପକ୍ଷରେ ଯିବ ଜନମତ ?

ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ର:ଏଥର କାହା ସପକ୍ଷରେ ଯିବ ଜନମତ ?

ରାଜନୀତି

ବାରିପଦା :ମୟୂରଭଞ୍ଜ ଜିଲ୍ଲାର ୨୯ ନମ୍ବର ବାଙ୍ଗିରିପୋଷି (ସଂ) ବିଧାନସଭା କ୍ଷେତ୍ର ଶାମାଖୁଂଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ବେଳେ ୨୧.୦୧.୨୦୧୯ରେ ପ୍ରକାଶିତ ଭୋଟର ତାଲିକା ଆଧାରରେ ୧,୦୩,୬୨୨ ପୁରୁଷ, ୧,୦୩,୦୭୪ ପୁରୁଷ ଓ ୫ ଅନ୍ୟାନ୍ୟ ଏହିପରି ମୋଟ ୨,୦୬,୭୦୧ ଭୋଟର ରହିଛନ୍ତି । ୨୦୦୪ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ତଥା ଶିକ୍ଷାବିତ୍ ଚୈତନ୍ୟ ପ୍ରସାଦ ମାଝି, ୨୦୦୯ରେ ତାଙ୍କ କନ୍ୟା ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଓ ୨୦୧୪ରେ କୌଣସି କାରଣରୁ ଶ୍ରୀମତୀ ହେମ୍ବ୍ରମଙ୍କୁ ରାଜ୍ୟସଭାକୁ ପଠାଇ ତାଙ୍କ ସ୍ଥାନରେ ଝାମୁମୋର ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡି ଦଳ ତ୍ୟାଗ କରି ବିଜେଡ଼ି ଟିକଟରେ ୫୮.୬୩ ପ୍ରତିଶତ ହାରରେ ୬୨,୪୦୬ ଖଣ୍ଡ ଭୋଟ ପାଇ ନିର୍ବାଚନ ଜିତିଥିଲେ । ଏହାପୂର୍ବରୁ ୧୯୯୦ରେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତମାନ ୨୦୧୪ ନିର୍ବାଚନ ସୁଦାମଙ୍କ ରାଜନୈତିକ କ୍ୟାରିଆର ତଥା ଭବିଷ୍ୟତ ନିର୍ଭର କରୁଥିବାରୁ ତାଙ୍କ ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟିଯାଇଛି । ସୁଦାମ ମାର୍ଣ୍ଡି ଝାମୁମୋର ରାଜ୍ୟ ସଭାପତି ରହିଥିବା ସମୟରେ ବିଜେଡ଼ି ସହିତ ଶତ୍ରୁତା ଚରମ ସୀମାରେ ପହଂଚିଯାଇଥିଲା । ବିଜେଡ଼ି ନେତା, କର୍ମୀମାନେ ଓ ସମର୍ଥକମାନେ ତ୍ରାହିତ୍ରାହି ଡାକ ଛାଡ଼ୁଥିଲେ । ୨୦୧୩ରେ ବାରିପଦା ବସଷ୍ଟାଂଟ ନିକଟରେ ଏକ ଗଣ୍ଡଗୋଳକୁ କେନ୍ଦ୍ରକରି ସୁଦାମଙ୍କ ସମର୍ଥକମାନେ ବାରିପଦାରେ ବିଜେଡ଼ି ସମର୍ଥକମାନଙ୍କ ଘରେ ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଜୀବନରୁ ମାରିଦେବାର ଧମକଚମକ ପରେ ସହରରେ ମାରଣାସ୍ତ୍ର ଧରି ଫ୍ଲାଗମାର୍ଚ୍ଚ ମାଧ୍ୟମରେ ଆତଙ୍କ ସୃଷ୍ଟି କରିବା ଆଦି ଅଭିଯୋଗ ହୋଇଥିଲା । ଏହାକୁ କେନ୍ଦ୍ର କରି ସୁଦାମଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା ।ମାତ୍ର୨୦୧୪ରେ ସେ ସଦଳବଳେ ବିଜେଡ଼ିରେ ଲୀନ ହୋଇଗଲେ । ଅତୀତରେ ସାନ୍ତାଲ ସମ୍ପ୍ରଦାୟ ମଧ୍ୟରେ ଇଂଟର କାଷ୍ଟ ମ୍ୟାରେଜ ହେଲେ ସୁଦାମଙ୍କ ନେତୃତ୍ୱରେ ସମ୍ପୃକ୍ତ ପରିବାରକୁ ଜାତିରୁ ବାସନ୍ଦ କରାଯିବା ସହ ନିଆଁପାଣି ବନ୍ଦ କରାଯାଉଥିଲା ଫଳରେ ପୂର୍ବତନ ମନ୍ତ୍ରୀ ତଥା ଶିକ୍ଷାବିତ୍ ଓ ସମାଜସେବୀ ଚୈତନ୍ୟ ପ୍ରସାଦ ମାଝି, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ଆଦିଙ୍କ ପରିବାର ବାଦ ଯାଇନଥିଲେ । ଆଦିବାସୀଙ୍କ ମଧ୍ୟରେ ଅଣଆଦିବାସୀଙ୍କ ପ୍ରତି ଭେଦାଭେଦ ଭାବ ସୃଷ୍ଟି କରାଇ ସେମାନଙ୍କୁ ନିଜ ସପକ୍ଷରେ ରଖି ସଙ୍ଗଠନ ସମ୍ଭାଳି ଆସୁଥିଲେ । ସୁଦାମ ନିଜେ ଯେତେବେଳେ ବ୍ରାହ୍ମଣ ସମ୍ପ୍ରଦାୟର ଯୁବକକୁ କନ୍ୟାଦାନ କଲେ ସେହି ସମୟରେ ଏହି ସମସ୍ତ ଅଭିଯୋଗ ଆସିଥିଲା । ସମଗ୍ର ମୟୂରଭଞ୍ଜରେ ସୁଦାମ ବିରୋଧୀ ଝଡ଼ ସୃଷ୍ଟି ହୋଇଥିଲା ଠିକ୍ କେନ୍ଦ୍ରରେ ନରସିଂହ ରାଓଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ସରକାର ସମୟରେ ମୟୂରଭଞ୍ଜକୁ ଝାଡ଼ଖଣ୍ଡ ରାଜ୍ୟରେ ଶିବୁ ସୋରେନଙ୍କ ସହ ମିଶି ଟେକି ଦେବା ନିମନ୍ତେ ଉଦ୍ୟମ କରିଥିବା ବେଳେ । କାନ୍ଥବାଡ଼ରେ ଲାଗିଲା ଅତୀତରେ ସୁଦାମଙ୍କ ଦିକୁ(ଅଣଆଦିବାସୀ) ବିରୋଧୀ ଭାଷଣର ଅଂଶ । ଶେଷରେ ସୁଦାମ ଜାତିରୁ ବାସନ୍ଦ ହେବା ସହ ନିଆଁପାଣି ବନ୍ଦର ସମ୍ମୁଖୀନ ହେଲେ । କେବଳ ଏତିକି ନୁହେଁ ବିଜେଡ଼ିର ନେତ୍ରୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଶାମାଖୁଂଟା ଅଂଚଳର ଭାରତୀ ହାଁସଦାଃ ଏବଂ ଅତୀତରେ ବାଙ୍ଗିରିପୋଷି ବ୍ଲକରେ ସୁଦାମଙ୍କ ପାଖ ନେତା ଭାବେ ଜଣାଶୁଣା ସୁଗ୍ଦା ମୁର୍ମୁ ପ୍ରମୁଖ ବିଜେଡ଼ି ତ୍ୟାଗ କରି ବିଜେପିରେ ମିଶିବାକୁ ବାଧ୍ୟ ହୋଇଥିଲେ । ଏହାର କୁପ୍ରଭାବ ୨୦୧୭ରେ ଅନୁଷ୍ଠିତ ପଂଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା । ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡ଼ି ନିର୍ବାଚନ ମଣ୍ଡଳୀରେ ଥିବା ୬ଟି ଜିଲ୍ଲାପରିଷଦ ଜୋନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ବେଳେ ସମସ୍ତ ଆସନ ବିଜେଡ଼ି ହାତରୁ ବିଜେପି ଛଡ଼ାଇ ନେଇଥିଲା । ନିର୍ବାଚନରେ ବିଜେଡ଼ିକୁ ୨୬.୯୪ ହାରରେ ମୋଟ ୪୨,୨୬୫ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପାକୁ ୪୯.୯୨ ପ୍ରତିଶତ ହାରରେ ୭୮,୩୧୨ ଖଣ୍ଡ ଭୋଟ ଆସିଥିଲା । ଏଥି ସହିତ କୁଳିଅଣା ବ୍ଲକ ବିଜେପି ନିଜ କବ୍ଚଜାକୁ ନେଇଥିବା ବେଳେ ବାଙ୍ଗିରିପୋଷି ବ୍ଲକ ସୁଦାମ ସମର୍ଥକମାନଙ୍କୁ ସମ୍ମୁଖୀନ ହୋଇନପାରିବାରୁ ଅଳ୍ପକେ ବିଜେପି ହାତଛଡ଼ା କରିଦେଇଥିବାର କୁହାଯାଇଥିଲା । ବିଜେଡ଼ିର ଭାତହାଣ୍ଡି ବୋଲି କୁହାଯାଉଥିବା ଶାମାଖୁଂଟା ସହ କୁଳିଅଣା ବ୍ଲକରେ ସୁଦାମ ବିରୋଧୀ ସ୍ୱର କ୍ରମଶଢ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । ସୁଦାମ ବିରୋଧରେ ଏକ ଅସନ୍ତୋଷ୍ଠ ବିଜେଡ଼ିର ଗ୍ରୁପ ଭୂବନେଶ୍ୱର ଯାଇ ଦଳର ହାଇମାଣ୍ଡକୁ ସାକ୍ଷାତ କରିବେ ବୋଲି ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ସୁଦାମଙ୍କୁ ବିଜେଡ଼ି ସରକାରରେ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ; ମାତ୍ର ଦକ୍ଷତାର ମାପକାଠିରେ ବିଫଳ ହେବା କାରଣରୁ ମନ୍ତ୍ରୀପଦକୁ ହରାଇ ବସିଥିଲେ । ନିର୍ବାଚନ ମଣ୍ଡଳୀରେ ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଯୋଗାଣ, କୃଷି, ଜଳସେଚନ ଆଦି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ଜନସାଧାରଣ ନିର୍ବାଚନ ମଣ୍ଡଳୀରେ ତାଙ୍କର ସାକ୍ଷାତ ପାଉନଥିବାର ଅଭିଯୋଗ ହେଉଛି । ସେହିପରି ନିର୍ବାଚନ ମଣ୍ଡଳୀରେ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ହଠାତ୍ ହିରୋ ପାଲଟି ଯାଇଥିବା ଭାଜପା ପକ୍ଷରୁ ବିଜେଡ଼ି ତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ସାନ୍ତାଲ ସମ୍ପ୍ରଦାୟର ଜଣେ ଦକ୍ଷ ସଂଗଠକ ଭାବେ ଚର୍ଚ୍ଚିତ ଚେହେରା ସୁଗ୍ଦା ମୁର୍ମୁଙ୍କୁ ବିଧାୟକ ପ୍ରାର୍ଥୀଭାବେ ପ୍ରୋଜେକ୍ଟ କରୁଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ମୁଣ୍ଡାରୀ ସମ୍ପ୍ରଦାୟରୁ ଉଚ୍ଚ ଶିକ୍ଷିତ, ତଥା ଭାରତୀୟ ମୁଣ୍ଡା ସମାଜ, ଆରଏସଏସ, ମୁଣ୍ଡାରୀ ସାଓଁରା ଜାମଦା ଆଦି ବିଭିନ୍ନ ସଙ୍ଗଠନ ସହିତ ଜଡ଼ିତ ରହିଆସିଥିବା ସମାଜସେବୀ କାହ୍ନୁ ଚରଣ ସିଂ ମଧ୍ୟ ବିଜେପିର ଆଶାୟୀ ତାଲିକାରେ ଚର୍ଚ୍ଚା ପରିସରରେ ରହିଛନ୍ତି । ଏକ ଆକଳନ ଆଧାରରେ ନିର୍ବାଚନ ମଣ୍ଡଳୀରେ ସାନ୍ତାଲମାନଙ୍କ ସଂଖ୍ୟା ୫୬ ହଜାରରୁ ଅଧିକ ରହିଥିବା ବେଳେ ମୁଣ୍ଡା ଓ ହୋ ସମ୍ପ୍ରଦାୟ ସଂଖ୍ୟା ୪୫ ହଜାରରୁ ଅଧିକ, ବର୍ତମାନ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ହେବା ନିମନ୍ତେ ଆନ୍ଦୋଳନ ଚଳାଇଥିବା କୁଡ଼ୁମୀ ମହାନ୍ତ ସଂଖ୍ୟା ୨୮ ହଜାରରୁ ଅଧିକ, ବାଥୁଡ଼ି ସମ୍ପ୍ରଦାୟ ସଂଖ୍ୟା ୧୪ ହଜାରରୁ ଅଧିକ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟଙ୍କ ସଂଖ୍ୟା ୬୫ ହଜାରରୁ ଅଧିକ ରହିଛି । ଏମାନଙ୍କ ମଧ୍ୟରୁ ପ୍ରାୟତଃ ମହାନ୍ତ ସମ୍ପ୍ରଦାୟ ଭୋଟ ବିଜେପି ସପକ୍ଷରେ ରହିଥିବା ବେଳେ ସାନ୍ତାଲ, ବାଥୁଡ଼ି ସହ ସାଧାରଣ ବର୍ଗରୁ ସିଂହ ଭାଗ ବିଜେପି ସପକ୍ଷରେ ରହିଛି । ଏହି ସମୟରେ ମୁଣ୍ଡାରୀ ବର୍ଗ ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବ ବୋଲି କୁହାଯିବା ସାଙ୍ଗକୁ ଉକ୍ତ ସମ୍ପ୍ରଦାୟରୁ ଜଣେ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୁଅନ୍ତୁ ବୋଲି ଦାବି କରନ୍ତି । ଅନ୍ୟପକ୍ଷେ କଂଗ୍ରେସ ଓ ଜେଏମ୍ଏମ୍ ମଧ୍ୟରେ ମେଂଟ ହୋଇଥିବା ବେଳେ ଆସନ ବୁଝାମଣା ସରିନାହିଁ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୧୯୯୫ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ବିଧାୟକ ତଥା ସାନ୍ତାଳ ସମ୍ପ୍ରଦାୟରୁ ଅଜେନ ମୁର୍ମୁଙ୍କୁ ପ୍ରାର୍ଥୀ କରାଇବା ନିମନ୍ତେ ପ୍ରସ୍ତାବ ରଖିଛି । ଶାନ୍ତ, ସରଳ ଓ ମାର୍ଜିତ ବ୍ୟବହାର ନିମନ୍ତେ ପୂର୍ବତନ ବିଧାୟକ ଶ୍ରୀମୁର୍ମୁ ଜନସାଧାରଣଙ୍କ ନିକଟରେ ପରିଚିତ । ସୁଦାମଙ୍କ ପରେ ଶ୍ରୀମୁର୍ମୁ ନିର୍ବାଚନ ମଣ୍ଡଳୀର ସଙ୍ଗଠନର ଉତର ଦାୟିତ୍ୱ ନିଜ କାନ୍ଧ ଉପରକୁ ନେଇ ଘରକୁ ସଜାଡ଼ିବାରେ ଲାଗିପଡ଼ିଥିଲେ । ବର୍ତମାନ ଦଳ ବିଜେଡ଼ି ଓ ବିଜେପି ଉଭୟକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇସାରିଛି । ନିର୍ବାଚନରେ ବିଜେଡ଼ି ଓ ବିଜେପି ସରକାରଙ୍କ ଭ୍ରଷ୍ଟାଚାର, ଦୁର୍ନୀତି, ବାଙ୍ଗିରିପୋଷି-ବାଦାମପାହାଡ଼-ଟାଟା ରେଳପଥ ସମ୍ପ୍ରସାରଣ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ, ନିଯୁକ୍ତି, ଜିଲ୍ଲାକୁ ଅବହେଳା ଆଦି ବିଭିନ୍ନ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯାଉଛି । ତେଣୁ, ଏପ୍ରିଲ ୨୯ରେ ହେବାକୁ ଯାଉଥିବା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ-ଜେଏମଏମ୍ ମେଂଟ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାର କ୍ଷେତ୍ର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି । କେବଳ ପ୍ରାର୍ଥୀ ତାଲିକା ପ୍ରକାଶ ସହ ମତଦାନକୁ ଅପେକ୍ଷାରେ ରହିଛନ୍ତି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଭୋଟରମାନେ । କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ଓ କାହା ସପକ୍ଷରେ ଯିବ ଜନମତ ସେଥି ନିମନ୍ତେ ଅବଗଣନା ଆରମ୍ଭ ହୋଇଯାଇଛି । ଏଥି ସହିତ ବାଙ୍ଗିରିପୋଷି ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହୋଇଥିବା କାରଣରୁ ଏଠାରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ କିପରି ପରିଚାଳନା କରାଯାଇ ପାରୁଛି ତାହା ସମୟ ହିଁ କହିପାରିବ ବୋଲି ମତ ପ୍ରକାଶ ପାଇଛି ।