ଆଜି କଂଗ୍ରେସକୁ ଫେରିବେ ବିଭୂତି

ଆଜି କଂଗ୍ରେସକୁ ଫେରିବେ ବିଭୂତି

ରାଜ୍ୟ ଖବର


ଭୁବନେଶ୍ୱର: ବିଜେପି ଛାଡ଼ିବେ କଟକ ଜିଲ୍ଲାର ଟାଣୁଆ ତଥା ବରିଷ୍ଠ ନେତା ବିଭୂତି ମିଶ୍ର । ବିଭୂତି ଫେରିବେ ନିଜ ପୁରୁଣା ଦଳ କଂଗ୍ରେସକୁ । ଆଜି ଅପରାହ୍ନରେ  କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦାନ କରିବେ ବିଭୂତି । ଆଠଗଡ଼ରେ ସେ କଂଗ୍ରେସର ମଙ୍ଗ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି । ମାନସ ଚୌଧୁରୀ କଟକ ଜିଲ୍ଲା କଂଗ୍ରେସର ନେତୃତ୍ୱ ନେବା ପରେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ପଳାଇଥିବା ନେତାମାନଙ୍କୁ ପୁଣି ଥରେ କଂଗ୍ରେସକୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି । ତେଣୁ ବିଭୂତିଙ୍କୁ କଂଗ୍ରେସକୁ ଫେରାଇ ଆଣିବା ପଛରେ ମାନସଙ୍କ ବଡ଼ ଭୂମିକା ରହିଛି । ଆଠଗଡ଼ର ଅନ୍ୟତମ ବରିଷ୍ଠ ନେତା ଉମାବଲ୍ଲଭ ରଥଙ୍କୁ ନିକଟରେ ପୁରୀ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ତେଣୁ ଉମା ପୁରୀକୁ ଫେରିଥିବାବେଳେ ଆଠଗଡ଼ରେ କଂଗ୍ରେସର ଶକ୍ତି ବଢ଼ାଇବା ଦାୟିତ୍ୱ ଏବେ ବିଭୂତି ନେବେ ବୋଲି କୁହାଯାଉଛି । ବିଭୂତି ମିଶ୍ର ଏକଦା କଂଗ୍ରେସର ଆଗଧାଡ଼ିର ନେତା ଥିଲେ । ଆଠଗଡ଼ରେ ତାଙ୍କର ଢେ଼ର ପତିଆରା ବି ରହିଛି। ନିର୍ବାଚନୀ ରାଜନୀତିରେ ସେ ସଫଳ ହୋଇପାରିନଥିଲେ ବି ପତିଆରା ରାଜନୀତିରେ ଶ୍ରୀ ମିଶ୍ର ବେଶ କ୍ଷମତାସମ୍ପନ୍ନ ଥିଲେ। ପଟ୍ଟନାୟକ ପରିବାର ସହ ତାଙ୍କର ନିଘନ ସମ୍ପର୍କ ବି ରହିଥିଲ । କିନ୍ତୁ ପରବର୍ତୀ ସମୟରେ ସେ ପ୍ୟାରୀମୋହନ ମହାପାତ୍ରଙ୍କ ଜନମୋର୍ଚ୍ଚାରେ ଯୋଗଦେଇଥିଲେ। ତେବେ ଜନମୋର୍ଚ୍ଚା ଆଗେଇ ନପାରିବାରୁ ଗତ ପଂଚାୟତ ନିର୍ବାଚନ ବେଳେ ସେ ବିଜେପିରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଉପସ୍ଥିତିରେ ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ତେବେ ସାଧାରଣ ନିର୍ବାଚନରେ ବିଭୂତିଙ୍କୁ ବିଜେପି ସେଭଳି ଗୁରୁତ୍ୱ ଦେଇନଥିଲା। ପରବର୍ତୀ ସମୟରେ ସେ ବିଜେପି ସଂଗଠନରେ ବି ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା। ବେଶ କିଛିଦିନ ଧରି ସେ ନୀରବ ରହିଥିଲେ।

Powered by Froala Editor