ଭୁବନେଶ୍ୱର: କେନ୍ଦ୍ର ସରକାର ସାର ଦେଉନାହାନ୍ତି । କେନ୍ଦ୍ର ଅବହେଳା କରୁଛି । ଏଭଳି ଅଭିଯୋଗ ନେଇ ରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ଆଜିଠୁ ବିଧାନସଭ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଗୃହ ବାହାରେ କେନ୍ଦ୍ର ବିରୋଧରେ ବିଜେଡି ଲଢେ଼ଇ ଆରମ୍ଭ କରିଦେଇଛି । ରାଜଭବନ ସାମ୍ନାରେ ଧାରଣା ଦେଇଛି ବିଜୁ ଜନତା ଦଳ। ଓଡ଼ିଶାକୁ ଯେଉଁ ପରିମାଣର ସାର ଯୋଗାଇ ଦେବା କଥା, କେନ୍ଦ୍ର ସରକାରଙ୍କ ପକ୍ଷରୁ ତାହା ଯୋଗାଣ ହେଉନାହିଁ । ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କେନ୍ଦ୍ର କିଛି ଶୁଣୁନି। କେବଳ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଚୁପ ବସୁଛନ୍ତି। କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସାର ଯୋଗାଉନି ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।
ରାଜ୍ୟକୁ ଅଭାବୀ ସାର ଯୋଗାଣ ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି। ରାଜ୍ୟରେ ସାରର ଘୋର ଅଭାବ ରହିଛି। କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ରାଜ୍ୟରେ ସାରର ଅଭାବ ଦେଖା ଦେଇଛି । ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆବଶ୍ୟକ ସାର ପାଇଁ ଦାବି କରି ଆସୁଛନ୍ତି ଓଡ଼ିଶା ସରକାର। ଏନେଇ କେନ୍ଦ୍ରକୁ କୃଷି ମନ୍ତ୍ରୀ ମଧ୍ୟ ଚିଠି ଲେଖିଛନ୍ତି। ମରୁଡ଼ି ସମୟରେ ଚାଷୀ ହତାଶ ହେଉଥିବାବେଳେ କେନ୍ଦ୍ରର ଏହି ଅବହେଳାକୁ ତୀବ୍ର ବିରୋଧ କରିଛି ବିଜେଡି । ଏନେଇ ରାଜଭବନ ନିକଟରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି ବିଜେଡି ।
Powered by Froala Editor
