୪୦ ପ୍ରତିଶତ ଭାରତୀୟଙ୍କ ଆୟୁଷ ୯ ବର୍ଷ କମିଯିବ!

୪୦ ପ୍ରତିଶତ ଭାରତୀୟଙ୍କ ଆୟୁଷ ୯ ବର୍ଷ କମିଯିବ!

ଜାତୀୟ ଖବର


ନୂଆଦିଲ୍ଲୀ: ଆୟୁଷ ଖାଉଛି ପ୍ରଦୂଷଣ । ଭାରତରେ ପ୍ରଦୂଷଣ ମାତ୍ରା ଏତେ ବଢ଼ିଗଲାଣି, ପବନ ବି ବିଷ ପାଲଟୁଛି । ଯଦି ଏମିତି ସ୍ଥିତି ଲାଗିରହେ, ୪୦% ଭାରତୀୟଙ୍କ ଆୟୁଷ ୯ ବର୍ଷ ପର୍ଯ୍ୟନ୍ତ କମିପାରେ । ଏମିତି ଚାଂଚଲ୍ୟକର ରିପୋର୍ଟ ଦେଇଛି ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚୁ୍ୟଟ (ଇପିଆଇସି) । 

   ବୁଧବାର ପ୍ରକାଶିତ ଏହି ଗବେଷଣାତ୍ମକ ରିପୋର୍ଟ ଅନୁସାରେ ମାତ୍ରାଧିକ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କର ଆୟୁଷ ୯ ବର୍ଷ କମିପାରେ । ରାଜଧାନୀ ଦିଲ୍ଲୀ ସମେତ କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ଭାରତରେ ୪୮୦ ନିୟୁତରୁ ଅଧିକ ଲୋକ ବାସ କରୁଛନ୍ତି, ଯେଉଁମାନେ ପ୍ରବଳ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି । ଭାରତର ଏହି ବ୍ୟାପକ ପ୍ରଦୂଷଣ ସମୟ କ୍ରମେ ଭୌଗୋଳିକ ଭାବେ ସମ୍ପ୍ରସାରିତ ହେବାରେ ଲାଗିଛି । ପଶ୍ଚିମ ଭାରତର ମହାରାଷ୍ଟ୍ର ଏବଂ କେନ୍ଦ୍ର ଭାରତର ମଧ୍ୟପ୍ରଦେଶରେ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ।

 ବାୟୁ ପ୍ରଦୂଷଣ କମାଇବା ପାଇଁ ୨୦୧୯ରେ ଆରମ୍ଭ ହୋଇଥିବା ଭାରତର ନ୍ୟାସନାଲ କ୍ଲିନ୍ ଏୟାର୍ ପ୍ରୋଗ୍ରାମ (ଏନସିଏପି)କୁ ପ୍ରଶଂସା କରି ଏଥିରେ ଲେଖାଯାଇଛି ଯେ, ଯଦି ଏହି କାର୍ଯ୍ୟକ୍ରମ ସଫଳଭାବେ କାର୍ଯ୍ୟକାରୀ ହୁଏ, ତେବେ ଏହାଦ୍ୱାରା ଦେଶର ସାମଗ୍ରିକ ଆୟୁଷ ୧.୭ ବର୍ଷ ବୃଦ୍ଧି ପାଇବ । ଦିଲ୍ଲୀର ଆୟୁଷ ୩.୧ ବର୍ଷ ବୃଦ୍ଧି ପାଇବ । ଭାରତର ସବୁଠୁ ଅଧିକ ପ୍ରଦୂଷିତ ନଗରୀଗୁଡ଼ିକର ପ୍ରଦୂଷଣ ୨୦୨୪ ସୁଦ୍ଧା ୨୦ରୁ ୩୦ ପ୍ରତିଶତ କମାଇବା ପାଇଁ ଏନସିଏପି ଲକ୍ଷ୍ୟ ରଖିଛି । ସେଥିପାଇଁ ଶିଳ୍ପ କାରଖାନା ଏବଂ ଯାନବାହନ ଧୂଆଁରୁ ହେଉଥିବା ପ୍ରଦୂଷଣକୁ କମାଯିବ । ୨୦୨୦ରେ ତୃତୀୟ ବର୍ଷ ପାଇଁ ନୂଆଦିଲ୍ଲୀ ଭାରତର ଏକ ନମ୍ବର ପ୍ରଦୂଷିତ ନଗରୀର ମାନ୍ୟତା ପାଇଛି । ତେଣୁ ଶିଳ୍ପ-କାରଖାନାକୁ ସହର ଓ ଜନବସତିଠାରୁ ଦୂରକୁ ନେବା, ପେଟ୍ରୋଲ ଓ ଡିଜେଲ ଗାଡ଼ି ସଂଖ୍ୟା କମାଇବା, ବୈଦୁ୍ୟତିକ ବା ବ୍ୟାଟେରିଚାଳିତ ଗାଡ଼ିକୁ ପ୍ରୋତ୍ସାହନ ଦେବା, ଅମଳ ଋତୁରେ କ୍ଷେତରେ ନଡ଼ା-ପୋଡ଼ି ବନ୍ଦ କରିବା ଆଦି ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ।

Powered by Froala Editor