୧୪ରେ ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

୧୪ରେ ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଖବର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯିବେ।  ସେଠାରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ କାର୍ୟ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ ଚାଲିଛି । ତେବେ ଏହି ଗସ୍ତକୁ ପ୍ରଭାବୀ କରିବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛନ୍ତି। ୧୨ରୁ ଅଧିକ ମନ୍ତ୍ରୀ ଆଗୁଆ ସେଠାକୁ ଯାଇ କାର୍ୟ୍ୟକ୍ରମର ତଦାରଖ କରିବେ। ବ୍ଲକ ୱାରି ମନ୍ତ୍ରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ୧୨ ତାରିଖ ଠାରୁ ମନ୍ତ୍ରୀମାନେ ସେଠାରେ ଡେରା ପକାଇବେ। କିଛି ବିଧାୟକଙ୍କ ସମେତ ପାଖାପାଖି ୫୦ ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ମଧ୍ୟ ପଠାଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। କୋଭିଡ୍ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଅଧିକ ଲୋକଙ୍କୁ ଏକାଠି କରା ନ ଯାଇ ବିଭିନ୍ନ ବ୍ଲକରେ ବଡ଼ ବଡ଼ ସ୍କ୍ରିନ୍ ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମର ସିଧା ପ୍ରସାରଣ କରାଯିବ। ମନ୍ତ୍ରୀ, ବିଧାୟକମାନେ ଏହି କାର୍ୟ୍ୟକ୍ରମର ତଦାରଖ କରିବେ। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ ଆରମ୍ଭ କଲା ପରେ ଦୁଇ ତିନି ଦିନ ଭିତରେ ବ୍ଲକ ସ୍ତରରେ ହିତାଧିକାରୀଙ୍କୁ ମନ୍ତ୍ରୀ, ବିଧାୟକମାନେ କାର୍ଡ ବାଣ୍ଟିବେ । କୋଭିଡର ଦ୍ୱିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ରାଜଧାନୀ ବାହାରେ ଦ୍ୱିତୀୟ କାର୍ୟ୍ୟକ୍ରମ। ଗତ ୨୦ ତାରିଖରେ ଶ୍ରୀ ପଟ୍ଟନାୟକ ମାଲକାନଗିରି ଯାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ପର୍ୟ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ । ଖୁବଶୀଘ୍ର ମୟୂରଭଞ୍ଜ ଓ ବଲାଙ୍ଗୀର ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି।


Powered by Froala Editor