ଖୋର୍ଦ୍ଧା: ଥାନାରେ ହାଜର ହେବାକୁ ପୁଲିସ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନୋଟିସ୍ ଦେବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରସ୍ଥ ସରକାରୀ ବାସଭବନରେ ଖୋଜାଖୋଜି କରିବା ପରେ ପୁଲିସ ସେଠାରେ ତାଙ୍କୁ ପାଇ ନଥିଲା। ଅନୁସୂଚିତ ଜାତି ଓ ଜନଜାତି ନିର୍ୟାତନା ନିରୋଧ ଆଇନରେ ବିଧାୟକ ଜଗଦ୍ଦେବଙ୍କ ଜେରା କରିବାର ଆବଶ୍ୟକତା ରହିଛି। ପୁଲିସ ତାଙ୍କୁ ତାଙ୍କର ଫୋନ୍ ନମ୍ବର କିମ୍ବା ସରକାରୀ ବାସଭବନରେ ଠାବ କରିପାରି ନଥିବାରୁ ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ ଜାରି କରିବ ବୋଲି ଜଣାଯାଇଛି। ସୂଚନାନୁସାରେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ୧୫୬ ଓ ୧୫୭/୨୦୨୧ରେ ଦୁଇଟି ଏତଲା ରୁଜୁ ହୋଇଛି । ବାଲୁଗାଁ ଏନଏସିରେ ବିଜେପିର ନଗର ମଣ୍ଡଳ ଅଧ୍ୟକ୍ଷ ଓ ଅନ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ଓ ଗାଳିଗୁଲଜ କରିବା ମାମଲାରେ ଏହି ଏତଲା ରୁଜୁ ହୋଇଛି। ଉଭୟ ମାମଲାରେ ଏସସି/ଏସଟି ଆଟ୍ରୋସିଟି ପ୍ରିଭେନ୍ସନ ଆକ୍ଟର ଦଫା ୩(୧) ଆର-ଏସ ଲାଗିଛି । ସିଆରପିସି ନିୟମ ଅନୁସାରେ ଜଣେ ଏସଡିପିଓଙ୍କ ଅଧୀନରେ ଏହି ମାମଲାର ତଦନ୍ତ କରାଯିବ ଓ ବର୍ତ୍ତମାନ ବାଲୁଗାଁ ଏସଡିପିଓ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି । ଏହାସହ ଏହି ମାମଲାର ଦଣ୍ଡ ଅବଧି ୭ ବର୍ଷ ହୋଇଥିବାରୁ ଅଭିଯୁକ୍ତଙ୍କୁ ଜେରା କରିବା ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ପୁଲିସ ପ୍ରଥମେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଫୋନରେ ଯୋଗାଯୋଗ କରି ବିଫଳ ହୋଇଥିଲା । ପରେ ଖୋର୍ଦ୍ଧା ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଆଇଭିଆରର-୩୦୫କୁ ପଚାରାଉଚୁରା କରିବାକୁ ଯାଇଥିଲା । ମାତ୍ର ସେଠାରେ ବିଧାୟକଙ୍କୁ ନପାଇ ଫେରିଆସିଥିଲା । ଜେରା ପାଇଁ ବିଧାୟକଙ୍କୁ ଠାବ କରାଯାଇପାରୁନାହିଁ, ତାଙ୍କ ବିରୋଧରେ ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ଜଣାଯାଇଛି । ଯେହେତୁ ଶନିବାର ଓ ରବିବାର ଛୁଟି ରହୁଛି, ସୋମବାର ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି ମାମଲା ସହ ଜଡ଼ିତ ଥିବା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି । ଅପରପକ୍ଷରେ, ଏନେଇ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର କହିଛନ୍ତି ଯେ ଏହି ମାମଲାରେ ତାଙ୍କର ଗିରଫଦାରି ଯାଏ ବିଜେପି ଚୁପ ବସିବ ନାହିଁ । ସୋମବାର ପ୍ରଶାନ୍ତଙ୍କ ଗିରଫଦାରୀ ପାଇଁ ଖୋର୍ଦ୍ଧା ଗ୍ରାମାଞ୍ଚଳ ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସେହିଭଳି ଅଭିଯୋଗକାରୀ ନିରଂଜନ ସେଠୀ କହିଛନ୍ତି ଯେ ସେ ମାଡ଼ ଖାଇଛନ୍ତି ଓ ବିନାକାରଣରେ ଅପମାନିତ ହୋଇଛନ୍ତି । ଏଣୁ ତାଙ୍କୁ ନ୍ୟାୟ ମିଳିବା ଯାଏ ସେ ନିଜର ଆଇନଗତ ଲଢେ଼ଇ ଜାରି ରଖିବେ । ବିଧାୟକଙ୍କୁ ଗିରଫ କରାନଗଲେ ସେ ଥାନା ସମ୍ମୁରେ ଧାରଣାରେ ଦେବେ ବୋଲି ଶ୍ରୀ ସେଠୀ କହିଛନ୍ତି ।
Powered by Froala Editor
