ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ରାଜନୀତିରେ ଏ କ’ଣ ଚାଲିଛି ବୋଲି ବିରୋଧୀମାନେ ସମାଲୋଚନା ଆରମ୍ଭ କଲେଣି। ଗତ ୬ ମାସରେ ବିଜେପି ଶାସିତ ରାଜ୍ୟରେ ୪ ଜଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେଣି। ରାଜ୍ୟରେ ଗୋଷ୍ଠୀ କନ୍ଦଳ ନା କେନ୍ଦ୍ର ନେତୃ୍ବୃନ୍ଦଙ୍କୁ ସନ୍ତୁଷ୍ଟ କରି ନପାରିବାର ଫଳ ଭୋଗିବାକୁ ପଡ଼ୁଛି ବୋଲି ସମାଲୋଚନା ହେଉଛି। ଶନିବାର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଗୁଜୁରାଟର ବିଜୟ ରୂପାନୀ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଜୁଲାଇ ୩ ରେ ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଶପଥ ଗ୍ରହଣ କରିବାର ମାତ୍ର ୬ ମାସ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ମାର୍ଚ୍ଚ ୧୦ରେ ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତି୍ରବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତିରଥଙ୍କ ପରେ ପୁଷ୍କର ସିଂହ ଧାମୀ ଜୁଲାଇ ୪ ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ । ଏହା ପରେ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କ ଇସ୍ତଫା ଘୋଷଣା କଲେ । ରୂପାନୀଙ୍କ ଇସ୍ତଫା ଗୁଜରାଟ ରାଜନୀତିକୁ ସରଗରମ କରିଛି । ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଚାର ବିମର୍ଶ ଜାରି ରହିଛି । ନୀତିନ ପଟେଲ ଏବଂ ସିଆର ପାଟିଲଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବହୁତ ଅଧିକ ରହିଛି । ରାଜ୍ୟରେ ପଟିଦାର ସମ୍ପ୍ରଦାୟର ବିଶାଳ ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ବିଜେପି ନିଷ୍ପତ୍ତି ନେବ ବୋଲି ଚର୍ଚ୍ଚା ହେଉଛି । ବିଜୟ ରୂପାନୀଙ୍କ ଇସ୍ତଫା ପରେ ଆପ କହିଛି ଯେ ଗୁଜରାଟରେ ଆପର ଶକ୍ତି ବୃଦ୍ଧି ଯୋଗୁଁ ବିଜେପିର ଭୟ ବଢ଼ିଛି । ବିଜେପି ଏହାର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ବାଧ୍ୟ ହୋଇଛି। ଆପ ବିଜେପିକୁ ପଛରେ ପକାଇ ସୁରାଟରେ ୨୭ ଆସନରେ ଜିତିଥିଲା। ତେଣୁ ବିଜେପି ନେତୃତ୍ୱ ବଦଳାଇବାକୁ ବାଧ୍ୟ ହୋଇଛି ବୋଲି ଆପ ବିଧାୟକ ରାଘବ ଚଢ଼ା କହିଛନ୍ତି। ରୂପାନୀଙ୍କ ଇସ୍ତଫା ପରେ ଆପ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି। ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଛି, ନିର୍ବାଚନ ଥିବା ରାଜ୍ୟମାନଙ୍କରେ ଲୋକମାନେ ବିଜେପି ସରକାର ବଦଳାଇବାକୁ ମନସ୍ଥ କରିଛନ୍ତି । କିନ୍ତୁ ବିଜେପି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବଦଳାଇବାରେ ଲାଗି ପଡ଼ିଛି । ସେମାନେ ଯେତେ ମୁଖ୍ୟମନ୍ତ୍ରୀ ବଦଳାଇଲେ ବି କିଛି ହେବ ନାହିଁ ବୋଲି ଯୁବ କଂଗ୍ରେସ କହିଛି ।
Powered by Froala Editor
