ରାହୁଲ ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ!

ରାହୁଲ ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ!

ଜାତୀୟ ଖବର


ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ କରିବାକୁ କମର କଷିଛନ୍ତି ଦଳର ଯୁବ ଓ ଛାତ୍ର ସଂଗଠନ । ରାଷ୍ଟ୍ରୀୟ ଯୁବ କଂଗ୍ରେସ ପରେ ଏବେ ଏନଏସୟୁଆଇ (ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ) ଏ ଦିଗରେ ପାଦେ ଆଗେଇଛି । ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ଏନଏସୟୁଆଇ ସଂକଳ୍ପ ପାରିତ କରିଛି । ଏନଏସଏଆଇ ଅଧିବେଶରେ ଏ ସଂକଳ୍ପକୁ ସର୍ବସମ୍ମତିରେ ପାରିତ କରାଯାଇଛି । 

  ଏନଏସୟୁଆଇ ପକ୍ଷରୁ କୁହାଯାଇଛି, ରାହୁଲ ଗାନ୍ଧିଙ୍କ ଭଳି ସଚ୍ଚୋଟ, ସାହାସୀ, ଦକ୍ଷ ନେତା ହିଁ ଦେଶର ନେତୃତ୍ୱ ନେବାକୁ ଯୋଗ୍ୟ । ସେ ହିଁ ଲଗାତାର ଭାବେ କେନ୍ଦ୍ରର ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ସ୍ୱର ଉଠାଇ ଆସିଛନ୍ତି ।  ଜନତାଙ୍କ ସ୍ୱର ଉଠାଇବାକୁ ସେ କେବେ ବି ପଛଘୁଂଚା ଦେଇନାହାନ୍ତି । ତାଙ୍କ ନେତୃତ୍ୱରେ ହିଁ କଂଗ୍ରେସ ପୁଣି କ୍ଷମତାକୁ ଆସିବ । ତେଣୁ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଏନଏସୟୁଆଇ ଦାବି ଉଠାଇଛି ।

  ପୂର୍ବରୁ ୨୦୧୭ରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରରେ ଦଳର ଶୋଚନୀୟ ପରାଜୟ ପରେ ସେ ଦଳର ବିଫଳତା ପାଇଁ ନିଜ ମୁଣ୍ଡକୁ ସବୁ ଦାୟିତ୍ୱ ନେଇଥିଲେ । ଏହାସହ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରଠାରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହି ଆସିଛନ୍ତି ସୋନିଆ ଗାନ୍ଧି । ମାତ୍ର ବୟସାଧିକ କାରଣରୁ ସେ ପୂର୍ବ ଭଳି ଆଉ ଚଳଚଞ୍ଚଳ ନାହାନ୍ତି । ତେଣୁ ଦଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ବାରମ୍ବାର ଦାବି ଉଠୁଛି । ଅପରପକ୍ଷରେ ରାହୁଲ ଅଧ୍ୟକ୍ଷ ନଥିଲେ ମଧ୍ୟ ଏବେ ବି ସୋନିଆଙ୍କ ପରେ ରାହୁଲଙ୍କ ଦଳର ସବୁଠୁ ବଡ଼ ନେତା ଭାବେ କାର୍ଯ୍ୟ କରୁଛନ୍ତି । ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ରାହୁଲ ହିଁ ରହିଛନ୍ତି । ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ବିଭିନ୍ନ ଦଳ ସହ ମିଶି ମୋଦି ସରକାରଙ୍କୁ ଘେରିବାରେ ରାହୁଲ ବଡ଼ ଭୂମିକା ତୁଲାଇଥିଲେ । 

Powered by Froala Editor