ରାସ୍ତା ଉପରେ ନିର୍ମାଣ ଆବର୍ଜନା, ୧୩ଜଣଙ୍କୁ ବିଏମ୍ସିର ନୋଟିସ୍

ରାସ୍ତା ଉପରେ ନିର୍ମାଣ ଆବର୍ଜନା, ୧୩ଜଣଙ୍କୁ ବିଏମ୍ସିର ନୋଟିସ୍

ରାଜ୍ୟ ଖବର

ଭୁବନେଶ୍ୱର: ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ଓ ବର୍ଜ୍ୟ ସାମଗ୍ରୀ ଗଦା କରିବା କାଳ ହେଲ। ଏବେ ବିଏମ୍ସି ଏହିସବୁ ସାମଗ୍ରୀ ଗଦେଇଥିବା ଲୋକଙ୍କୁ ନୋଟିସ୍ କରିଛି। ଯିଏ ଘର ତିଆରି କଲା ରାସ୍ତା ଉପରେ ବାଲିଗୋଡ଼ି ଜମା କଲା। ପୁରୁଣା ଘରୁ ଭାଙ୍ଗି ଯେଉଁ ଆବର୍ଜନା ବାହାର କଲା ତାକୁ ବି ରାସ୍ତା ଉପରେ ଗଦେଇଲା। ଏ ସବୁ ଗଦା କରୁଥିବା ଲୋକକୁ ନୋଟିସ କରିବା ସହ ଜରିମାନା ଆଦାୟ କରିବାକୁ ବ୍ୟବସ୍ଥା ଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ରହିଥିଲା । ହେଲେ କରୋନାକୁ ଆଳ କରି କାର୍ୟ୍ୟାନୁଷ୍ଠାନ ନାମକୁ ମାତ୍ର ହେଉଥିଲା। ଏବେ ବିଏମସି ଚେତିଛି । ଏହି ଏନଫୋର୍ସମେଣ୍ଟକୁ କଡ଼ା କଡ଼ି କରାଯାଇଛି । ତିନିଟି ଜୋନରେ ସଚେତନତା ସୃଷ୍ଟି କରାଯିବା ସହ ଜରିମାନା ଆଦାୟ କରାଯାଇଛି । ଗୋଟିଏ ଦିନରେ ୧୩ ଜଣଙ୍କୁ ନୋଟିସ ହେବା ସହ ୬୬ ହଜାର ଟଙ୍କା ଆଦାୟ ହୋଇଛି । ତେବେ ଆଜି ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତିନିଟି ଜୋନରେ ସ୍ୱଚ୍ଛ ସାଥୀ, ୱାର୍ଡ ଅଫିସର ଓ ପରିମଳ ନିରୀକ୍ଷକଙ୍କ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । ନିର୍ମାଣ ଆବର୍ଜନାକୁ ଏଣେ ତେଣେ ନଫିଙ୍ଗି ବିଏମସିକୁ ସୂଚନା ଦେବାକୁ କୁହାଯାଇଛି । ପ୍ରଥମ ଦିନରେ ତିନିଟି ଜୋନରେ ୧୨ଟି ୱାର୍ଡରେ ସଚେତନତା ସହ ଜରିମାନା ଓ ନୋଟିସ କରାଯାଇଛି । ଏନଫୋର୍ସମେଣ୍ଟ ପାଇଁ ଜେସିବି, ହାଇୱା, ଟିପ୍ପର ଓ ଟ୍ରାକ୍ଟର ପ୍ରଭୃତି ୨୯ଟି ଗାଡ଼ି ବ୍ୟବହାର କରାଯାଇଛି । ଏକ ସ୍ୱତନ୍ତ୍ର ଗାଡ଼ି ସହାୟତାରେ ପବ୍ଲିକ ଆଡ୍ରେସ ସିଷ୍ଟମ ଜରିଆରେ ସଚେତନତା ସୃଷ୍ଟି କରାଯାଇଛି । ରାସ୍ତା କଡ଼ରେ ଗଦା ହୋଇଥିବା ୪୧ ଟ୍ରିପ ନିର୍ମାଣ ଆବର୍ଜନା ସଫା କରାଯାଇଛି । ଆଗକୁ ଏହି ଏନଫୋର୍ସମେଣ୍ଟ ଜୋରଦାର ଚାଲିବ ବୋଲି ବିଏମସି ପକ୍ଷରୁ ଚେତାଇ ଦିଆଯାଇଛି ।


Powered by Froala Editor