ପିପିଲି ପ୍ରଚାରକୁ ଯିବେନି ବିଜୟ

ପିପିଲି ପ୍ରଚାରକୁ ଯିବେନି ବିଜୟ

ରାଜନୀତି


ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ହେବ ତଗଡ଼ା ଲଢେ଼ଇ । ମଇଦାନରେ ଓହ୍ଲାଇବେ ହେଭିୱେଟ । ଏଥିପାଇଁ ତାରକା ପ୍ରଚାରକ ତାଲିକା ପ୍ରସ୍ତୁତ କରି ଦେଇଛି ବିଜେପି । ବିଜେପି ପାଇଁ ପିପିଲିରେ ପ୍ରଚାର ମଇଦାନରେ ବୁଲିବେ ଦଳର ୩ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ । ଏହା ସହ ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ, ସହପ୍ରଭାରୀ, ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ରହିଛି ଷ୍ଟାର ପ୍ରଚାରକ ତାଲିକାରେ । ହେଲେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନାଁ ବିଜେପିର ତାରକା ପ୍ରଚାରକ ତାଲିକାରେ ନାହିଁ । ଏହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏଥିରେ ବିଜୟଙ୍କ ସମର୍ଥକ ତଥା ଦଳର ବହୁ  ବରିଷ୍ଠ ନେତା ଆଚମ୍ବିତ ହୋଇଛନ୍ତି । ବିଜୟଙ୍କୁ ଭଳି ନେତାଙ୍କୁ ଦଳ କିଭଳି ଅଣଦେଖା କରୁଛି ବୋଲି ଦଳ ଭିତରେ ଚର୍ଚ୍ଚା ଚାଲିଛି ।

 ବିଜେପି ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ଗତକାଲି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ପ୍ରତାପ ଷଡ଼ଙ୍ଗୀ, ମୋହନ ଚରଣ ମାଝୀ, ସମ୍ବିତ ପାତ୍ର, ମନମୋହନ ସାମଲ, କେଭି ସିଂହଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ମାନସ କୁମାର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ବି ସାମିଲ ରହିଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପିପିଲିରେ ନିର୍ବାଚନ ପ୍ରଚାର କାର୍ଯ୍ୟ ୨୦ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ କରିବା ନିମନ୍ତେ ଅନୁମତି ଦେଇଛନ୍ତି ।

Powered by Froala Editor