ନୂଆଦିଲ୍ଲୀ: ପାକିସ୍ତାନକୁ ଲାଗିଛି ଜୋରଦାର ଝଟ୍କା। ଆଫଗାନିସ୍ତାର ତାଲିବାନ୍ ସରକାରଙ୍କୁ ପ୍ରତିନିଧି ପଠାଇବାକୁ ଅନୁମତି ଦିଆଯାଉ ବୋଲି ପାକିସ୍ତାନ ଦେଇଥିବା ‘ସାଉଥ୍ ଏସିଆନ୍ ଆସୋସିଏସନ୍ ଫର୍ ରିଜିଓନାଲ୍ କୋଅପରେସନ୍’ (ସାର୍କ)ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ସାର୍କ ରାଷ୍ଟ୍ରସମୂହଙ୍କର ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ବାତିଲ କରାଯାଇଛି।
କରୋନାଭାଇରସ୍ ମହାମାରୀଜନିତ ଅସୁବିଧା ହେତୁ ୨୦୨୦ରେ ଉକ୍ତ ବାର୍ଷିକ ବୈଠକ ‘ଭର୍ଚ୍ୟୁଆଲ୍’ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।
ପ୍ରତ୍ୟକ୍ଷଭାବେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘର ୭୬ତମ ଅଧିବେଶନ ବାହାରେ ସେପ୍ଟେମ୍ବର ୨୫ ତାରିଖ ଦିନ ‘ସାର୍କ’ର ଉପରୋକ୍ତ ଅନୌପଚାରିକ ବୈଠକ ଆୟୋଜନ ପାଇଁ ସ୍ଥିର କରାଯାଇଥିଲା।
କିନ୍ତୁ, ସମସ୍ତ ସଦସ୍ୟ ରାଷ୍ଟ୍ର ପାକିସ୍ତାନର ପ୍ରସ୍ତାବ ଉପରେ ଏକମତ ନ ହେବାରୁ ପ୍ରସ୍ତାବିତ ‘ସାର୍କ’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ବାତିଲ କରାଯାଇଥିବା କଥା ନେପାଳୀ ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ‘ପ୍ରେସ୍ ରିଲିଜ୍’ରୁ ଜଣାପଡ଼ିଛି।
ଅଧିକାଂଶ ‘ସାର୍କ’ ସଦସ୍ୟ ରାଷ୍ଟ୍ର ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଆହୁରି ମଧ୍ୟ ପାକିସ୍ତାନ କହିଛି ଯେ, ଯେତେ ଯାହା ହେଲେ ବି ଅଶରଫ୍ ଗନୀଙ୍କ ନେତୃତ୍ବାଧୀନ ଆଫଗାନ୍ ସରକାରଙ୍କର କୌଣସି ପ୍ରତିନିଧିଙ୍କୁ ‘ସାର୍କ’ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ଆସିବା ଲାଗି ଅନୁମତି ନ ଦିଆଯାଉ।
ପାକିସ୍ତାନର ଉପରୋକ୍ତ ପ୍ରସ୍ତାବକୁ ଅଧିକାଂଶ ସଦସ୍ୟ ରାଷ୍ଟ୍ର ବିରୋଧ କରିବା ହେତୁ ‘ସାର୍କ’ ବୈଦେଶିକ ମନ୍ତ୍ରୀମାନେ କୌଣସି ସହମତିରେ ପହଞ୍ଚି ନ ପାରି ସେପ୍ଟେମ୍ବର ୨୫ରେ ହେବାକୁ ଥିବା ବୈଠକକୁ ବାତିଲ କରିଛନ୍ତି।
Powered by Froala Editor
