ଭୁବନେଶ୍ୱର : ଏ ବର୍ଷ ଦ୍ୱିତୀୟ ଥର ପାଇଁ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡ଼ିଶା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ରାତିରେ ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅର୍ଥାତ ଶନିବାର ସକାଳ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗମୁହାଁ ହେବ ଏବଂ ସମୁଦ୍ର ଭିତରେ ବାତ୍ୟାର ରୂପ ନେବ । ଏହି ବାତ୍ୟାର ନାମକରଣ ‘ଗୁଲ-ଆବ’ ରଖାଯାଇଛି । ୨୬ ତାରିଖ ଅର୍ଥାତ ରବିବାର ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟଣା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ସ୍ପଷ୍ଟ ଭାବେ କହିବାକୁ ଗଲେ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ରାତି ୮ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୬୭୦ କିମି ଓ କଳିଙ୍ଗପଟ୍ଟନମଠାରୁ ୭୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତରୁ ‘ବାତ୍ୟା’ର ରୂପ ନେବ । ତେବେ ବାତ୍ୟା ‘ଗୁଲ-ଆବ’ର ପ୍ରକୋପ ବିଶେଷ ଅଧିକ ରହିବ ନାହିଁ । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ । ସ୍ଥଳବିଶେଷରେ ୯୦ କିମି ବେଗରେ ଝଟକା ଦେବ । ଏହାର ପ୍ରଭାବରେ ୨୫ ତାରିଖ ରାତିଠାରୁ ଓଡ଼ିଶା ଉପକୂଳ ଯଥା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ । ତାହାକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାତ୍ୟା ସ୍ଥଳଭାଗକୁ ସ୍ପର୍ଶ କରିବା ସମୟରେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ଏତେଟା ପଡ଼ିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ସେ କହିଛନ୍ତି ଯେ ଆମେରିକାର ଜେଟିସି ମଡେଲର ଆକଳନ ଅନୁସାରେ ଆଜି ଅପରାହ୍ନ ସାଢେ଼ ୧ଟା ସୁଦ୍ଧା ଲଘୁଚାପଟି ବାତ୍ୟା ରୂପ ନେଇଛି । ସଂଧ୍ୟା ସାଢେ଼ ୫ଟାରେ ପବନର ବେଗ ଘଣ୍ଟାପ୍ରତି ୭୨ କିମି ରହିଥିବା ବେଳେ ୮୭ କିମି ବେଗରେ ପବନର ଝଟକା ରହିଛି । ଘଣ୍ଟାପ୍ରତି ୭ କିମି ବେଗରେ ଏହା ପଶ୍ଚିମ ଆଡ଼କୁ ମୁହାଁଉଛି । କ୍ରମଶଃ ଘନୀଭୂତ ହୋଇ ୨୬ ତାରିଖ ସଂଧ୍ୟା ବେଳକୁ ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଦୁର୍ବଳ ହୋଇଯିବ । ଫଳରେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।
Powered by Froala Editor
