ନୂଆଦିଲ୍ଲୀ: ୨୪ ଘଣ୍ଟାରୁ କମ୍ ସମୟ ହେବ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବିତ ‘ସେଣ୍ଟ୍ରାଲ୍ ଭିଷ୍ଟା ପ୍ରୋଜେକ୍ଟ୍’ ସ୍ଥଳରେ ଏକ ଘଣ୍ଟାରୁ ଅଧିକ ସମୟ ରହି ପ୍ରତ୍ୟକ୍ଷ ଭାବେ ନୂତନ ସଂସଦ ଭବନର ନିର୍ମାଣ ପରିସ୍ଥିତି ଦେଖାଚାହାଁ କରିଥିଲେ। ରବିବାର ରାତି ପ୍ରାୟ ୮.୪୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ୟ୍ୟରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରିବା ସହ ଚାଲିଥିବା କାମ ତଦାରଖ କରିଥିଲେ।
ତାଙ୍କର ଏହି ପରିଦର୍ଶନ ପାଇଁ ପୂର୍ବରୁ କୌଣସି ସୂଚନା ଜାରି କରାଯାଇ ନ ଥିଲା କି, ସୁରକ୍ଷା ବ୍ୟବସ୍ଥା ଘୋଷଣା କରାଯାଇ ନ ଥିଲା।
୨୦୨୦ ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ନୂତନ ପାର୍ଲାମେଣ୍ଟ୍ ଭବନ ନିର୍ମାଣ ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧ ବେଳକୁ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ନିର୍ମାଣ ହେଉଛି ବିରୋଧୀ ଦଳଙ୍କ କଟୂ ସମାଲୋଚନାର ସରବ୍ୟ ହୋଇଥିବା ‘ସେଣ୍ଟ୍ରାଲ୍ ଭିଷ୍ଟା ପ୍ରୋଜେକ୍ଟ୍’ର ଅଂଶବିଶେଷ। ୨୦୨୨ରେ ସଂସଦର ଶୀତକାଳୀନ ଅଧିବେଶନ ଉକ୍ତ ନୂତନ ଅଟ୍ଟାଳିକାରେ ବସିବ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। ୬୪,୫୦୦ ବର୍ଗ କିଲୋମିଟର ଜମିରେ ନୂତନ ସଂସଦ ଭବନ ନିର୍ମାଣ ହେଉଛି। ଏଥିପାଇଁ ୯୭୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।
Powered by Froala Editor
