ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କୁ ଭେଟିଲେ ଅମରିନ୍ଦର

ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କୁ ଭେଟିଲେ ଅମରିନ୍ଦର

ଜାତୀୟ ଖବର

ନୂଆଦିଲ୍ଲୀ: ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନକୁ ଯାଇ ଭେଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ୍ କଂଗ୍ରେସ ନେତା ଅମରିନ୍ଦର ସିଂହ। ‘ବିଜେପି’ରେ ଯୋଗ ଦେବାର କଳ୍ପନାଜଳ୍ପନା ଚାଲିଥିବା ବେଳେ ଗତ ସନ୍ଧ୍ୟାରେ ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ୟୁନିଟ୍ରେ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିବା କଂଗ୍ରେସ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂହଙ୍କ ସହ ଯୋଗାଯୋଗ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ସୋନି ଏବଂ କମଲ ନାଥ ତାଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରୁଛନ୍ତି।

ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, କଂଗ୍ରେସରୁ ଇସ୍ତଫା ଦେଇଥିବା ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଗୁରୁବାର ଅପରାହ୍ଣ ୩ଟାରେ ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀଙ୍କୁ ଭେଟିବେ। ତାଙ୍କୁ ଭେଟିବା ଲାଗି ସିଦ୍ଧୁ ଅପରାହ୍ଣ ୩ଟା ବେଳେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ଭବନରେ ପହଞ୍ଚିବେ।

ଏହା ବ୍ୟତିରେକେ, କଂଗ୍ରେସ ନେତା ମହମ୍ମଦ୍ ମୁସ୍ତଫା ମଧ୍ୟ କହିଛନ୍ତି ଯେ, ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ। ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିବେ। ବେଳେ ବେଳେ ସେ ଆବେଗ-ଚାଳିତ ହୋଇ ଏଭଳି କରନ୍ତି ବୋଲି କଂଗ୍ରେସ ନେତୃତ୍ବ ଜାଣନ୍ତି।

Powered by Froala Editor