ଅମଲାତନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ବ୍ୟବହାର ଉପରେ ପ୍ରଧାନବିଚାରପତିଙ୍କ ଅସନ୍ତୋଷ

ଅମଲାତନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ବ୍ୟବହାର ଉପରେ ପ୍ରଧାନବିଚାରପତିଙ୍କ ଅସନ୍ତୋଷ

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ ଅନେକ ଅମଲାତନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ‘ଆପତ୍ତିଜନକ’ ବ୍ୟବହାର ଓ ମନୋଭାବକୁ ନେଇ ପ୍ରଧାନବିଚାରପତି ଏନଭି ରମଣା ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଫିସରମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗର ସତ୍ୟତା ପରୀକ୍ଷା କରିବା ପାଇଁ ଏକ ସ୍ଥାୟୀ କମିଟି ଗଠନ କରିବା ବିଷୟରେ ସେ ଚିନ୍ତା କରିଥିବା ବେଳେ ପରେ ଏହାକୁ ସ୍ଥଗିତ ରଖିଥିବା କହିଛନ୍ତି। ଶୁକ୍ରବାର ଛତିଶଗଡ଼ର ନିଲମ୍ବିତ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୁରଜିନ୍ଦର ପାଲ ସିଂହଙ୍କ ଗିରଫ-ବିରୋଧୀ ଅଦାଲତୀ ସୁରକ୍ଷା ଆବେଦନ ଉପରେ ଶୁଣାଣି କରିବା ଅବସରରେ ଜଷ୍ଟିସ୍ ରମଣା ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଏଡିଜି ସିଂହଙ୍କ ବିରୋଧରେ ବେଆଇନ ସମ୍ପତ୍ତି ଠୁଳ, ଚାନ୍ଦା ଆଦାୟ, ନିୟମ ଉଲ୍ଲଂଘନ ଆଦି ଅନେକ ଆପରାଧିକ ମାମଲା ରହିଛି । ପ୍ରଧାନବିଚାରପତି କହିଲେ ଯେ, ଅମଲାତନ୍ତ୍ରୀ, ବିଶେଷ କରି ପୁଲିସ ଅଧିକାରୀମାନେ ଲୋକଙ୍କୁ କେମିତି ବ୍ୟବହାର କରନ୍ତି, ତା’ ଉପରେ ତାଙ୍କର ଅନେକ ସନ୍ଦେହ ରହିଛି । ପୁଲିସ ଓ ଅମଲାତନ୍ତ୍ରୀଙ୍କ ବିରୋଧରେ ଆସୁଥିବା ଦୁର୍ବ୍ୟବହାର, ଅତ୍ୟାଚାର ଆଦି ଉପରେ ତଦନ୍ତ କରିବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ଥାୟୀ କମିଟି ଗଠନ କରିବାକୁ ସେ ଏକଦା ଚିନ୍ତା କରିଥିଲେ ବୋଲି କହିଥିଲେ । ତେବେ ତାହା ସେ ବର୍ତ୍ତମାନ କାର୍ୟ୍ୟକାରୀ କରିବାକୁ ଯାଉନାହାନ୍ତି । ଗୁରଜିନ୍ଦର ପାଲ ସିଂହଙ୍କୁ ଏହା ପୂର୍ବରୁ ଦୁଇଟି ମାମଲାରେ କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ତୃତୀୟ ମାମଲାରେ ସୁରକ୍ଷା ଦେବାକୁ ମନା କରିବା ବେଳେ ପ୍ରଧାନବିଚାରପତି ରମଣା, ଜଷ୍ଟିସ୍ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ବେଞ୍ଚ କହିଲେ ଯେ, ଯେହେତୁ ମାମଲାଟି ହାଇକୋର୍ଟରେ ବିଚାରାଧୀନ ଅଛି, ସେହି ହାଇକୋର୍ଟ ହିଁ ଏହାର ବିଚାର କରିବେ ।


Powered by Froala Editor