ଦୁବାଇ: ପ୍ରଥମ କ୍ବାଲିଫାୟରରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଯୁବ ଖେଳାଳି ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ସର୍ବାଧିକ ୨୦ ପଏଣ୍ଟ ହାସଲ କରି ଲିଗ୍ର ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍କୁ ଯାଇଛି। ସେପଟେ ଆର୍ସିବି ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ଆଧାରରେ ଚେନ୍ନାଇ ଦ୍ବିତୀୟ ସ୍ଥାନରେ ରହି କ୍ବାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ତେବେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳିବା ଦୃଷ୍ଟିରୁ ଦିଲ୍ଲୀଠାରୁ ଚେନ୍ନାଇ ଢେର ଆଗରେ ରହିଛି। ସେହି ଦୃଷ୍ଟିରୁ ଚେନ୍ନାଇ ଚମକକୁ ଫିକା କରିବାକୁ ହେଲେ ଦିଲ୍ଲୀକୁ ଦୃଢ଼ତାର ପରିଚୟ ଦେବାକୁ ହେବ। ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରେରଣାଦାୟୀ ନେତୃତ୍ବ ଓ ବଳିଷ୍ଠ ରଣନୀତିକୁ ପଛରେ ପକାଇବାକୁ ହେଲେ ଦିଲ୍ଲୀର ଯୁବ ଅଧିନାୟକ ଋଷଭ ପନ୍ତଙ୍କ ଅଧିନାୟକତ୍ବରେ ଦିଲ୍ଲୀକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଚେନ୍ନାଇ ପୂର୍ବରୁ ୮ ଥର ଫାଇନାଲ୍ ଖେଳି ୩ ଥର ବିଜେତା ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ମାତ୍ର ଥରେ ଫାଇନାଲ୍ ଖେଳି ନିଜ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି। ଗତବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଦିଲ୍ଲା ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଚେନ୍ନାଇ ୧୦ଥର ପ୍ଲେ ଅଫ୍ ଖେଳିଥିଲା ବେଳେ ଦିଲ୍ଲୀ କେବଳ ୫ଥର ପ୍ଲେ ଅଫ୍କୁ ଯାଇଛି। ଉଭୟ ଦଳ ୨୫ ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ଚେନ୍ନାଇ ୧୫ ମ୍ୟାଚ୍ ଜିତିଥିଲା ବେଳେ ଦିଲ୍ଲୀ ୧୦ ମ୍ୟାଚ୍ରେ ବିଜୟୀ ହୋଇଛି। ହେଲେ ଚଳତି ଆଇପିଏଲ୍ ଋତୁର ପ୍ରଦର୍ଶନ ଅନୁସାରେ ଦିଲ୍ଲୀର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ ରହିଛି। ସେହିଦୃଷ୍ଟିରୁ ରବିବାର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି।
Powered by Froala Editor
