ଭୁବନେଶ୍ୱର: ଓଡ଼ିଶାର ବିଧାୟକଙ୍କ ପାଇଁ ଭୁବନେଶ୍ୱରରେ ଖୁବଶୀଘ୍ର ତିଆରି ହେବ ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରାସାଦ। ଏଥିପାଇଁ ରାଜ୍ୟ ସରକାର ୨୭୫କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିବାବେଳେ ଏଥିରେ ମୋଟ ୧୩୦ଟି ଘର ନିର୍ମାଣ ହେବ। ଓଡ଼ିଶା ବିଧାନସଭାର ପ୍ରାଶାସନିକ ଅନୁମୋଦନ ପାଇବା ପରେ ଏହି କୋଠା ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଡକାଯିବ ବୋଲି ଜଣାପଡ଼ିଛି।
ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକମାନଙ୍କ ରହିବା ପାଇଁ ମୋଟ ୧୩୦ଟି କ୍ୱାର୍ଟର୍ସ ନିର୍ମାଣ କରାଯିବ। ଏଥିରେ ଟାଇପ୍ – ୭ର ୧୦୫ଟି କ୍ୱାର୍ଟର୍ସ ଓ ଟାଇପ-୬ର ୨୫ଟି କ୍ୱାର୍ଟର୍ସ ରହିବ। ଏଥିପାଇଁ ୨୭୫କୋଟି ଟଙ୍କା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ଟଙ୍କା ଖର୍ଚ୍ଚ ନିମନ୍ତେ ଓଡ଼ିଶା ବିଧାନସଭାର ପ୍ରାଶାସନିକ ଅନୁମୋଦନର ଆବଶ୍ୟକତା ରହିଛି। ପ୍ରକ୍ରିୟା ଶେଷ ହେବାପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଅନ୍ୟପକ୍ଷରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି , ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯାଇ ୧୨ମହଲା ବିଶିଷ୍ଟ ନୂଆ କୋଠା ନିର୍ମାଣ କରାଯିବ । ବହୁତଳ କୋଠାରେ ସମସ୍ତ ପ୍ରକାରର ସୁବିଧା ବିଧାୟକମାନଙ୍କ ପାଇଁ ଉପଲବ୍ଧ ରହିବ। ଖୁବଶୀଘ୍ର। ୨ବର୍ଷ ଭିତରେ ଏହି ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବର୍ତ୍ତମାନ ଥିବା କ୍ୱାର୍ଟର୍ସ ଭଙ୍ଗା ହେବା ଯୋଗୁ ବିଧାୟକମାନଙ୍କ ରହିବା ନିମନ୍ତେ ଜିଏ ବିଭାଗ ପକ୍ଷରୁ ବିଧାୟକମାନଙ୍କୁ ଅନ୍ୟତ୍ର ଘର ଯୋଗାଇ ଦିଆଯାଇଛି । ତେବେ ପ୍ରସ୍ତାବିତ କୋଠା ନିର୍ମାଣ ସ୍ଥାନରେ ଏବେ ପୁରୁଣା କ୍ୱାର୍ଟର୍ସଗୁଡ଼ିକୁ ୫ଜଣ ପୂର୍ବତନ ବିଧାୟକ ଓ କିଛି ନୂଆ ବିଧାୟକ ଛାଡୁ ନଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ନିର୍ଦ୍ଦେଶକୁ ନମାନିବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କ୍ୱାର୍ଟର୍ସ ଭଙ୍ଗାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।
Powered by Froala Editor
