ପଞ୍ଚାୟତ ନିର୍ବାଚନ; ୧୫ ସୁଦ୍ଧା ଅଫିସର ବଦଳି ନିର୍ଦେଶ

ପଞ୍ଚାୟତ ନିର୍ବାଚନ; ୧୫ ସୁଦ୍ଧା ଅଫିସର ବଦଳି ନିର୍ଦେଶ

ରାଜ୍ୟ ଖବର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ନିର୍ବାଚନକୁ ନିରପେକ୍ଷ କରିବାକୁ ନିଜ ଅଞ୍ଚଳରେ ରହିଥିବା ଅଧିକାରୀଙ୍କୁ ନଭେମ୍ବର ୧୫ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିସନର ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୨୪୩(କେ)ର ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କୁ କମିସନର୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ଭଚ୍ଚ

ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଗତ ଶୁକ୍ରବାର ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ପଂଚାୟତ ନିର୍ବାଚନ ୨୦୨୨ ମସିହାର ପ୍ରଥମ ଭାଗରେ ହେବ ଓ କମିସନ ଏଥିପାଇଁ ପ୍ରକ୍ର୍ରିୟା ଆରମ୍ଭ କରିସାରିଛନ୍ତି। ତେଣୁ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିଜ ଅଂଚଳରେ ଅବା ନିଜ ଜନ୍ମ ସ୍ଥାନରେ କାର୍ୟ୍ୟ କରୁଥିବା ଅଫିସରମାନଙ୍କୁ ନଭେମ୍ବର ୧୫ତାରିଖ ସୁଦ୍ଧା ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କର୍ମଚାରୀ ବା ଅଫିସରଙ୍କ ବଦଳି ହେବ ସେମାନେ ଯେପରି ଛୁଟି ନରହିବେ ଏବଂ ବଦଳି ସ୍ଥାନରେ ଯୋଗ ଦେବେ ତାହା ମଧ୍ୟ ସୁନିଶ୍ଚିତ କରିବାକୁ ମଧ୍ୟ କମିସନର କହିଛନ୍ତି। ତେବେ ଯେଉଁ କର୍ମଚାରୀମାନେ ୨୦୨୨ ମାର୍ଚ୍ଚ ସୁଦ୍ଧା ସରକାରୀ ଚାକିରିରୁ ଅବସର ନେବାକୁ ଥିବ ସେମାନଙ୍କୁ ଏହି ବଦଳି ପ୍ରକ୍ରିୟାରୁ ବାଦ୍ ଦେବା ସହ ନିର୍ବାଚନ ଡ୍ୟୁଟିରେ ନପକାଇବାକୁ କମିସନର୍ ପରାମର୍ଶ ଦେଇଛନ୍ତି। ଯେଉଁ କର୍ମଚାରୀ ଓ ଅଫିସରମାନେ ନିଜ ଅଂଚଳରେ ରହିଲେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ସେମାନଙ୍କର ତାଲିକା ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ନିର୍ବାଚନ କମିସନର।  ସେସବୁ ଅଫିସର ଓ କର୍ମଚାରୀମାନେ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକସ୍ତରରେ ବିଡିଓ, ଏବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ପଂଚାୟତ ସମ୍ପ୍ରସାରଣ ଅଫିସର ଓ ଅନ୍ୟ ସମ୍ପ୍ରସାରଣ ଅଧିକାରୀ। ସେହିପରି ସବଡିଭିଜନସ୍ତରରେ ସବକଲେକ୍ଟର, ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ସବକଲେକ୍ଟର, ଏସଡିପିଓ, ସବଡିଭିଜିନାଲ ପଂଚାୟତ ଅଫିସରଙ୍କ ସମେତ ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ଡିଆରଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଏସପି, ଜିଲ୍ଲା ପଂଚାୟତ ଅଫିସରଙ୍କୁ ନିଜ ଗୃହ ଜିଲ୍ଲାରୁ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ବାଚନ କମିସନର ପରାମର୍ଶ ଦେଇଛନ୍ତି।

Powered by Froala Editor