ମସ୍କୋ: ଋଷରେ ଉତ୍ପାତ କରୁଛି ମାରାତ୍ମକ ଭାଇରସ। ଏହି ଦେଶରେ ପୁଣି କରୋନା ମାମଲା ଦ୍ରୁତ ଗତି ବଢ଼ିଛି। ଶନିବାର ଦିନକରେ କରୋନାରେ ଆକ୍ରାନ୍ତ ହୋଇ ୧୦୭୫ ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ଇଟାଲୀ, ସ୍ପେନ୍, ଫ୍ରାନ୍ସ ଭଳି ଦେଶକୁ ପଛରେ ପକାଇ ୟୁରୋପ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବୃହତ୍ତମ ଦେଶ ପାଲଟିଯାଇଛି।
ଶନିବାର ଋଷରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୩୭ ଜହାର ୬୭୮ଟି ମାମଲା ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ଋଷରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮,୨୦୫, ୯୮୩ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୨୨୯,୫୨୮କୁ ବୃଦ୍ଧି ପାଇଛି।
କିଛି ଅଧିକାରୀଙ୍କ କହିବା ମୁତାବକ, କେବଳ ଋଷରେ ହିଁ ୪ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଋଷର ରାଜଧାନୀ ମସ୍କୋ ମହାମାରୀର କେନ୍ଦ୍ର ସ୍ଥଳ ପାଲଟିଛି। ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମସ୍କୋରେ ଆସନ୍ତା ୨୮ ତାରିଖଠାରୁ ନଭେମ୍ବର ୭ ଯାଏଁ ଲକଡାଉନ୍ ଲାଗୁ କରାଯିବ ବୋଲି ଶୁଣିବାକୁ ମିଳୁଛି।
ସେପଟେ ରାଷ୍ଟ୍ରପତି ପୁଟିନ କରୋନା ମାମଲାକୁ କଣ୍ଟ୍ରୋଲ କରିବା ପାଇଁ କର୍ମଚାରୀଙ୍କୁ ୩୦ ତାରିଖରୁ ପେଡ୍ ଲିଭ୍ ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ କୌଣସି ଆଲୋଚନାରେ ଯୋଗ ଦେବା ବନ୍ଦ କରିଦେଇଛନ୍ତି।
ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଋଷ ଆସନ୍ତା ସପ୍ତାହରୁ ଦେଶର ପ୍ରମୁଖ ସହରଗୁଡିକରେ ପୁନର୍ବାର ପ୍ରତିବନ୍ଧକ ଲାଗୁ କରିବାକୁ ଯାଉଛି। ଟିକାକରଣରେ ସକ୍ରିୟ ଭାବେ ଭାଗ ନେବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲୋକଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ପର୍ୟ୍ୟାପ୍ତ ପରିମାଣରେ ସ୍ପୁଟ୍ନିକ-ଭି ଟିକା ମଧ୍ୟ ଉପଲବ୍ଧ ଅଛି, କିନ୍ତୁ ଟିକାକରଣକୁ ନେଇ ଲୋକମାନେ ଅଧିକ ଉତ୍ସାହ ଦେଖାଉ ନାହାଁନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଋଷରେ କେବଳ ୩୬ ପ୍ରତିଶତ ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ଟିକା ଦିଆଯାଇଛି।
Powered by Froala Editor
