ପୌର ନିର୍ବାଚନ ପାଇଁ ଆଗେଇଲେ ସରକାର

ପୌର ନିର୍ବାଚନ ପାଇଁ ଆଗେଇଲେ ସରକାର

ରାଜ୍ୟ ଖବର

ଭୁବନେଶ୍ୱର:ବିଭିନ୍ନ ଆଳ ଦେଖାଇ ତିନି ବର୍ଷ ଗଡ଼େଇଲେ, ଆଉ ନୁହେଁ। ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଆସନ୍ତା ନଭେମ୍ବର ୨୦ରେ ପୌରାଞ୍ଚଳଗୁଡ଼ିକର ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳମାନେ ମ୍ୟୁନିସପାଲ ଅଧିନିୟମ ୧୯୫୦ ଅନ୍ତର୍ଗତ ନିୟମ ୨ଏ(୫) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିବେ । ଜିଲ୍ଲାପାଳମାନଙ୍କୁ ଏ ନେଇ ନଗର ଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାପାଳମାନେ ଆସନ୍ତା ନଭେମ୍ବର ୯ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂକ୍ଷଣ ପକ୍ରିୟା ସାରିବେ। ଏ ନେଇ ଯାହା ବି ଆପତ୍ତି ଅଭିଯୋଗ ଥିବ, ତାହାକୁ ନଭେମ୍ବର ୧୮ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ନଭେମ୍ବର ୨୯ରେ ବିଜ୍ଞପ୍ତି ଜାରି କରାଯିବ। ପ୍ରକାଶିତ ବିଜ୍ଞପ୍ତି ନେଇ ଯାହା ଆପତ୍ତି ଅଭିଯୋଗ ଥିବ, ସେ ବାବଦରେ ନଗର ଉନ୍ନୟନ ବିଭାଗ ପାଖରେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ଯାଏଁ ଆବେଦନ ଦାଖଲ କରିହେବ । 

ତେବେ ରାଜ୍ୟର ୫ଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂପର୍କିତ ତଥ୍ୟ ଆସନ୍ତା ନଭେମ୍ବର ୧୫ ସୁଦ୍ଧା ନଗର ଉନ୍ନୟନ ବିଭାଗରେ ଦାଖଲ କରିବାକୁ ହେବ। ଡିସେମ୍ବର ୧୦ରେ ଏ ନେଇ ଚିଠା ତାଲିକା ପ୍ରକାଶ ପାଇବ । ଏହି ଚିଠା ତାଲିକା ଉପରେ ଡିସେମ୍ବର ୧୯ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବା ସହିତ ୨୦୨୨ ଜାନୁୟାରୀ ୨୦ ପୂର୍ବରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। 

Powered by Froala Editor