ମଞ୍ଚରେ ଭାଷଣ ଦେବା ବେଳେ ଟଳି ପଡ଼ିଲେ କଂଗ୍ରେସ ନେତା

ମଞ୍ଚରେ ଭାଷଣ ଦେବା ବେଳେ ଟଳି ପଡ଼ିଲେ କଂଗ୍ରେସ ନେତା

ଜାତୀୟ ଖବର

ଜୟପୁର: ମଞ୍ଚରେ ଭାଷଣ ଦେଉଥିବା ବେଳେ ପ୍ରାଣ ହରାଇଛନ୍ତି ଜଣେ ଯୁବ କଂଗ୍ରେସ ନେତା।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନରେ। ମୃତ ଯୁବ ନେତାଙ୍କ ନାଁ ମୋହବତ ସିଂହ ନିମ୍ବୋଲ।

ରାଜସ୍ଥାନରେ ଧରିଆବାଦ ସମେତ ଦୁଇଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ଜୋରସୋର ପ୍ରଚାର ହେଉଛି। ମଙ୍ଗଳବାର ଧରିଆବାଦର ଲସାଡ଼ିୟାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଥିଲା। ଆଉ ମଞ୍ଚ ସଂଚାଳନର ଦାୟିତ୍ୱ ଥିଲା ମୋହବତ ସିଂହ ନିମ୍ବୋଲଙ୍କ ଉପରେ। 

ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ରାଜସ୍ଥାନ ଯୁବ କଂଗ୍ରେସର ପୂର୍ବତନ ମୁଖପାତ୍ର ମୋହବତ ସିଂହ ନିମ୍ବୋଲ ମଞ୍ଚ ଉପରେ ମାଇକ୍ ଧରି ଭାଷଇ ଦେଉଥିଲେ। ତେବେ ଭାଷଣ ଦେଉଥିବା ବେଳେ ସେ ମଞ୍ଚରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଲସାଡ଼ିୟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଉଦୟପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୋହବତ ସିଂହ ନିମ୍ବୋଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି। ନିମ୍ବୋଲଙ୍କ ଅକାଳ ବିୟୋଗ ତାଙ୍କୁ ମର୍ମାହତ କରିଛି ବୋଲି ସେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଧୈର୍ୟ୍ୟ ଧରିବାକୁ କହିଛନ୍ତି।

Powered by Froala Editor