ଆଜି ଅକ୍ଟୋବର ୨୯, ମନେପଡ଼େ ମହାବାତ୍ୟା

ଆଜି ଅକ୍ଟୋବର ୨୯, ମନେପଡ଼େ ମହାବାତ୍ୟା

ରାଜ୍ୟ ଖବର

ଭୁବନେଶ୍ୱର: ସମୟ ବିତିଯାଏ, ହେଲେ ସ୍ମୃତିରେ ରହିଯାଏ କିଛି ଅଘଟଣା। ପ୍ରକୃତିର ସେହି ଭୟଙ୍କର ରୂପ ଆଜି ବି ସେ କ୍ଷତକୁ ମନେ ପକାଇ ଦିଏ। ପ୍ରକୃତିର ତାଣ୍ଡବ ଆଗରେ ମଣିଷ ଯେ କେତେ ଅସହାୟ ତାହା ପ୍ରମାଣିତ କରିଛି ମହାବାତ୍ୟା। ଓଡିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହେଉଛି ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ମହାବାତ୍ୟା । ସେଦିନ କେଇ ଘଣ୍ଟାର ପ୍ରକୃତିର ତାଣ୍ଡବରେ ବଦଳି ଯାଇଥିଲା ଓଡିଶାର ସ୍ଥିତି । ଆଣ୍ଡାମାନ ଦୀପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମହାବାତ୍ୟାର ରୂପ ନେଇ ରଚିଥିଲା ତାଣ୍ଡବ ଲୀଳା । 

ଏହି ମହାବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ କରିଥିଲା । ଘଣ୍ଟାପ୍ରତି ପବନର ବେଗ ୩୦୦କିଲୋମିଟରରୁ ଅଧିକ ଥିଲା । ପବନ ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା ଦୋହଲାଇ ଦେଉଥିଲା ଓଡିଶାର ମେରୁଦଣ୍ଡ ।

ବିଶେଷ କରି ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ମାହାବାତ୍ୟା ତା’ର ତାଣ୍ଡବ ଲୀଳା ଦେଖାଇଥିଲା । ଉପକୂଳ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏରସମା ଓ ପୁରୀର ଅସ୍ତରଙ୍ଗକୁ ଅନେକ କ୍ଷତି ସହିବାକୁ ପଡିଥିଲା । ଚାଲିଯାଇଥିଲା ହଜାର ହଜାର ଜୀବନ, ମାଟିକାନ୍ଥ ତଳେ ଚାପି ହୋଇ ରହିଥିଲା ଓଡିଶାର ଭାଗ୍ୟ ଓ ଭବିଷ୍ୟତ । ଚାରିଆଡେ କୁଢ କୁଢ ଶବ ଭାସୁଥିଲା । କେତେ ସଧବାଙ୍କ ମୁଣ୍ଡରୁ ଲିଭିଯାଇଥିଲା ସିନ୍ଦୁର ତ କିଏ ନିଜ ପରିବାରକୁ ହରାଇଥିଲା । କେତେ ଶିଶୁ ମାତୃହରା ହୋଇଥିଲେ ତ କେତେ ମାଆ ପୁତ୍ରହରା ହୋଇଥିଲେ । ଚାରିଆଡେ ଭୋକର କରାଳ ଛାୟା ରାହୁ ଭଳି ଗ୍ରାସ କରିଥିଲା । 

ସରକାରୀ ଆକଳନ ଅନୁସାରେ ମହାବାତ୍ୟାରେ ପ୍ରାୟ ୧୦ହଜାର ଲୋକ ପ୍ରାଣ ହରାଇଥିଲେ କିନ୍ତୁ ବେସରକାରୀ ରିପୋର୍ଟରେ ଏହାର ସଂଖ୍ୟା ଢେର ଅଧିକ ବୋଲି କୁହାଯାଏ ।  ମହାବାତ୍ୟାରେ ପ୍ରାୟ ୧୨.୯ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ । ୯୭ଟି ବ୍ଲକର ୧୪ହଜାର ୬୩୪ ଗାଁ’ରେ ପ୍ରାୟ ୧.୬ ନିୟୁତ ଘର ନଷ୍ଟ ହୋଇଥିଲା ଓ ଏହା ସହ ପ୍ରାୟ ସାଢେ ୪ଲକ୍ଷ ଜୀବଜନ୍ତୁ ପ୍ରାଣ ହରାଇଥିଲେ । ଏହା ସହିତ ପ୍ରାୟ ୪.୪୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିଲା ।

Powered by Froala Editor