ମୁମ୍ବାଇ: ବଲିଉଡର ରଙ୍ଗୀଲା ଗାର୍ଲ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜେ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍ କରିଛନ୍ତି। ଏଥିସହ ଦୀପାବଳି ଅବସରରେ ସମସ୍ତଙ୍କୁ ନିଜର ଯତ୍ନ ନେବାକୁ ମଧ୍ୟ ନିବେଦନ କରିଛନ୍ତି।
ଉର୍ମିଲା ମାତୋଣ୍ଡକର ଟ୍ୱିଟ୍ କରି କହିଛନ୍ତି, ‘ମୁଁ କରୋନା ଭାଇରସ୍ ପଜିଟିଭ୍ ହୋଇସାରିଛି। ମୁଁ ଭଲ ଅଛି ଏବଂ ହୋମ୍ କ୍ୱାରେଣ୍ଟିନରେ ନିଜକୁ ଆଇସୋଲେଟ୍ କରି ରଖିଛି। ମୁଁ ନିଜର ଯତ୍ନ ନେଉଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛି। ମୋ ସହିତ ଯୋଗାଯୋଗ କରିଥିବା ସମସ୍ତେ ତୁରନ୍ତ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି।’
ସୂଚନା ମୁତାବକ ଗତବର୍ଷ ଉର୍ମିଲା କଂଗ୍ରେସ ଛାଡି ଶିବ ସେନାରେ ଯୋଗ ଦେଇଥିଲେ। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ସେ ପ୍ରଥମ ସେଲେବ୍ରିଟି ନୁହନ୍ତି। ତାଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ବରୁଣ ଧୱନ, ସୋନୁ ସୁଦ, ଆଲିଆ ଭଟ୍ଟ, ରଣବୀର କପୁର, ବିକି କୌଶଲ, କ୍ୟାଟ୍ରିନା କୈଫ ସମେତ ଅନେକି ବି-ଟାଉନ ଅଭନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମୁମ୍ବାଇରେ ୩୦୧ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ ମାୟାନଗରୀ ମୁମ୍ବାଇରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୭,୫୫,୬୩୨ରେ ପହଞ୍ଚି ସାରିଲାଣି। ଏଥିରୁ ୧୬,୨୪୪ ଜଣ ମୋଟ କରୋନାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ୩,୯୬୬ଟି ଆକ୍ଟିଭ କେସ୍ ରହିଛି।
Powered by Froala Editor
