ଭୁବନେଶ୍ୱର : ଗୋଟିଏ ପଟେ ପାଟଣାଗଡ଼ର ପ୍ରଥମ ଥର ବିଧାୟକ ସରୋଜ ମେହେର ରାସ୍ତା ଉପରେ କଂଗାରୁ କୋର୍ଟ ବସାଇଥିଲା ବେଳେ ଆଉ ଜଣେ ପ୍ରଥମ ଥର ବିଧାୟକ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର କିଶୋର ନାଏକ ମଧ୍ୟ କୃଷି ଅଧିକାରୀଙ୍କୁ ଧମକ ଚମକ ଦେଇଥିବା ଜଣାଯାଇଛି । ସମ୍ପୃକ୍ତ କୃଷି ଅଧିକାରୀଙ୍କ ଅଭିଯୋଗ ଅନୁସାରେ ବିହନ ଯୋଗଣ ଓ ଲ୍ୟାମ୍ପସ ଗୁଡ଼ିକୁ ଲାଇସନ୍ସ ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯୋଗ କରି କୁଚିଣ୍ଡା ବିଧାୟକ ଶ୍ରୀ ନାଏକ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଖଗେନ୍ଦ୍ରନାଥ ଜେନାଙ୍କୁ ଫୋନ କରିଥିଲେ । ଫୋନରେ ଶ୍ରୀ ନାଏକ ଏଥିପାଇଁ କୃଷି ଉପନିର୍ଦ୍ଦେଶକଙ୍କୁ ଦାୟୀ କରି ଏହି ପଦବୀ ପାଇଁ ଯୋଗ୍ୟ ନୁହଁ ବୋଲି କହିଥିଲେ । ତୁମର ଅଫିସ ବନ୍ଦ କରିଦେବି ଓ ଚାକିରି ଖାଇଦେବି ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଧାୟକ ଶ୍ରୀ ନାଏକଙ୍କୁ ପଚାରିବାରୁ ସେ ଚାକିରି ଖାଇଦେବି ବୋଲି କହିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ସୋମବାର ସୁଦ୍ଧା ଚାଷୀଙ୍କୁ ବିହନ ନ ମିଳିଲେ କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଉପଖଣ୍ଡ କୃଷି କାର୍ଯ୍ୟାଳୟକୁ ବନ୍ଦ କରିଦେବା ସହ ଅନଶନରେ ବସିବି ବୋଲି କହିଥିବା ବିଷୟକୁ ସ୍ୱୀକାର କରିଛନ୍ତି । ଜଣେ ଶାସକ ଦଳ ବିଧାୟକଙ୍କୁ କେମିତି ସୌଜନ୍ୟ ଜଣାଇବାକୁ ହୁଏ ତାହା କୃଷି ଅଧିକାରୀଙ୍କୁ ଜଣା ନାହିଁ ବୋଲି ବି ଶ୍ରୀ ନାଏକ ଅଭିଯୋଗ କରିଥିଲେ ।
