ନୂଆଦିଲ୍ଲୀ: ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲର ଲିଟର ପିଛା ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି।
ନ୍ୟୁଜି ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ଭାରତ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦନ ଶୁଳ୍କକୁ ୧୦ ଟଙ୍କା ଲେଖାଏ ହ୍ରାସ କରାଯାଇଛି।ଦୀପାବଳି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ।
ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ରବି ଫସଲ ସମୟରେ ଚାଷୀଙ୍କ ପାଇଁ ଏହା ଉପକାର ସାବ୍ୟସ୍ତ ହେବ। ସେହିପରି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାର ମାନଙ୍କ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ କମ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରମାନେ ଭ୍ୟାଟ ହ୍ରାସ କଲେ ଲୋକମାନେ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଗତବର୍ଷ ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧୯.୯୮ ଟଙ୍କାରୁ ବଢ଼ାଇ ୩୨.୯ ଟଙ୍କାରେ ପହଞ୍ଚାଇଥିଲେ। ଏବେ କିନ୍ତୁ ଉତ୍ପାଦ ଶୁଳ୍କ ମାତ୍ର ୫ ଟଙ୍କା ହ୍ରାସ କରାଯାଇଛି।
ସୂଚନାଯୋଗ୍ୟ, ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ ଟଙ୍କା, କୋଲକାତାରେ ୧୧୦.୪୯ ଟଙ୍କା, ମୁମ୍ବାଇରେ ୧୧୫.୮୫ ଟଙ୍କା, ଚେନ୍ନାଇରେ ୧୦୬.୭୬ ଟଙ୍କା ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହା ୧୧୧.୨୫ ଟଙ୍କା ରହିଛି। ହେଲେ କାଲି ଠାରୁ ଏହି ଦର ହ୍ରାସ ପାଇବ।
ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା। ବିଶେଷ କରି ହିମାଚଳ ପ୍ରଦେଶରେ ଦଳ ନିଜର ଗଡ଼ ଭାବେ ପରିଚିତ ମଣ୍ଡି ଲୋକସଭା ଆସନରେ ପରାଜୟର ସ୍ୱାଦ ଚାଖିଥିଲା। ଏହି ପରାଜୟ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଦର ବୃଦ୍ଧି ହିଁ ବିଜେପିର ପରାଜୟର କାରଣ ବୋଲି କହିଥିଲେ। ଏହି ବୟାନକୁ ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି।
Powered by Froala Editor
