ଶ୍ବଶୁର ଘରେ ପହଞ୍ଚି ପାରିଲେନି, ବାଟରେ ଘଟିଲା ଅଘଟଣ

ଶ୍ବଶୁର ଘରେ ପହଞ୍ଚି ପାରିଲେନି, ବାଟରେ ଘଟିଲା ଅଘଟଣ

ରାଜ୍ୟ ଖବର

ରାୟଗଡ଼ା: ଦୀପାବଳିରେ ଶ୍ୱଶୁର ଘରେ ପହଞ୍ଚି ପାରିଲେନି ଜ୍ୱାଇଁ। ବାଟରେ ଘଟିଗଲା ଅଘଟଣ। ଶ୍ୱଶୁର ଘରେ ପହଞ୍ଚିବା ପୂର୍ବରୁ  ନାଳରେ ଖସି ପଡ଼ିଲା ବାଇକ୍।  ଫଳରେ ଆଖି ବୁଜିଲେ ଜ୍ୱାଇଁ । ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା  ଜିଲ୍ଲା ବିଷମ କଟକ ଥାନା ଚାଟିକୋଣା ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ଟାକ୍ରି।

ସୂଚନାଯୋଗ୍ୟ, ଦୀପାବଳି ପାଇଁ ସୀମାଞ୍ଚଳଙ୍କ ଶ୍ୱଶୁର ଘରୁ ଜ୍ୱାଇଁ ଡାକରା ଆସିଥିଲା। ଆଜି ସକାଳେ ସେ ବାଇକ୍ ଯୋଗେ ନିଜ ଗାଁ ସରାବାଲିରୁ ଶ୍ୱଶୁର ଘର ବାରିଗୁଡା ଗାଁକୁ ଯାଉଥିଲେ। ତେବେ ଚାଟିକୋଣ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ନାଳ ଭିତରେ ପଶି ଯାଇଥିଲା । ବାଇକ୍ ସହ ସୀମାଞ୍ଚଳ ମଧ୍ୟ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ବିଷମକଟକ ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି।


Powered by Froala Editor