ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ଜନତା କର୍ଫ୍ୟୁ ପାଳନ କରିବାକୁ କଂଗ୍ରେସର ଆହ୍ବାନ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ, ଜନତା କର୍ଫ୍ୟୁ ପାଳନ କରିବାକୁ କଂଗ୍ରେସର ଆହ୍ବାନ

ରାଜ୍ୟ ଖବର

ଭବାନୀପାଟଣା: ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ରହିଛି। ତେବେ ଏହାକୁ ଜୋରଦାର ବିରୋଧ କରୁଛି କଂଗ୍ରେସ। ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜୋରଦାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆସନ୍ତା ୮ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି। ଏହାକୁ ବିରୋଧ କରି କଳାହାଣ୍ଡି ବାସିନ୍ଦା  ଜନତା କର୍ଫ୍ୟୁ ପାଳନ କରନ୍ତୁ। ଏହାସହ ଆସନ୍ତା ୭ ତାରିଖରେ ମମିତାଙ୍କ ଆତ୍ମାର ସଦଗତି ପାଇଁ ଦିନ ୧୧ଟାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ କଳାହାଣ୍ଡି ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି।  ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତି ଗାଁ ଓ ସହରରେ ନିରବ ପ୍ରାର୍ଥନା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଭକ୍ତ କହିଛନ୍ତି, ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ଘଟଣାର ସତ୍ୟାସତ ଉନ୍ମୋଚନ କରାଯାଉ ବୋଲି ଓଡ଼ିଶା ବାସୀ ଓ ବିରୋଧୀ ଦଳ ଦାବି କରୁଛନ୍ତି।  ହେଲେ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି।  ମୁଖ୍ୟମନ୍ତ୍ରୀ ଆଠ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀଙ୍କୁ ବାହାଦୁରି ଦେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ନ ଆସି ଭୁବନେଶ୍ୱରେ ରହି ଭିଡ଼ିଓ କନଫେରେସିଂ ଜରିଆରେ ବିଭିନ୍ନ କାର୍ୟ୍ୟକ୍ରମର ଉଦଘାଟନ କରନ୍ତୁ।

ମମିତାଙ୍କୁ ନ୍ୟାୟ ମିଳୁ । କଳାହାଣ୍ତି ଜିଲ୍ଲା କଳଙ୍କିତ ନ ହେଉ ବୋଲି ଭକ୍ତ କହିଛନ୍ତି। ଭକ୍ତ ଦାସଙ୍କ ଆକ୍ଷେପ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Powered by Froala Editor