ଲକ୍ଷ୍ନୌ: ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାର ଚଳାଇଛନ୍ତି ନୂଆ ଗୋଟି। ଆଣିଛନ୍ତି ନୂଆ ନିୟମ। ଏଣିକି ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୃତ ଅଭିଭାବକଙ୍କ କୋଟାରେ ସମ୍ପୃକ୍ତ ବିଭାଗରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପର୍ସନାଲ ଡିପାର୍ଟମେଣ୍ଟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଯୋଗୀ ସରକାର ମୋହର ମାରିଛନ୍ତି। ଅଦ୍ୟାବଧି ମୃତ ସରକାରୀ କର୍ମଚାରୀଙ୍କ ଅବିବାହିତ ବା ବିବାହିତ ପୁଅକୁ କୋଟାରେ ଚାକରି ପ୍ରଦାନ କରାଯାଉଥିଲା । ତେବେ ବିବାହିତ ଝିଅଙ୍କ ପାଇଁ ଏହି ବ୍ୟବସ୍ଥା ନଥିବାରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ ।
ଅନେକ କ୍ଷେତ୍ରରେ ଯେଉଁ ଅଭିଭାବକଙ୍କର ଜଣେ ମାତ୍ର ବିବାହିତ ଝିଅ ଅଛନ୍ତି ସେମାନଙ୍କ ପରିବାର ଆଥିର୍କ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେହିପରି ପୁରୁଣା ବ୍ୟବସ୍ଥାକୁ ସଂଶୋଧନ କରି ଏବେ ବିବାହିତ ଝିଅ ମଧ୍ୟ ବାପ ଘର ପରିବାର ସଦସ୍ୟଭାବେ ବିବେଚିତ ହେବେ ବୋଲି କୁହାଯାଇଛି। ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ପରିବାରର ସଂଜ୍ଞାକୁ ନେଇ ଆପତ୍ତି ଉଠାଇଥିଲେ। ହାକୋର୍ଟ କହିଥିଲେ ଯେ, ବିବାହିତ ମହିଳା ପରିବାର ସଦସ୍ୟରୁ ବାଦ ପଡ଼ୁଥିବାରୁ ସେମାନେ ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁବଧାରୁ ବଞ୍ଚିତ ହେବା ଅସାମ୍ବିଧାନିକ।
ଯାହା ସମ୍ବିଧାନର ଧାରା ୧୪ ଏବଂ ୧୫କୁ ବିରୋଧ କରୁଛି। ଏହା ପରେ କେନ୍ଦ୍ର ସରକାର ବିବାହିତ ମହିଳାଙ୍କୁ ପରିବାରର ସଦସ୍ୟ ସୀକୃତି ଦେଇଛନ୍ତି। ହାଇକୋର୍ଟ କହିଥିଲେ ଯେ, ବିବାହିତ ଭାଇଙ୍କ ଭଳି ବିବାହିତ ମହିଳାଙ୍କୁ ପରିବାର ସଦସ୍ୟର ମାନ୍ୟତା ଦେଇ ସେମାନଙ୍କୁ ସରକାରୀ ନିଯୁକ୍ତିରେ ସୁଯୋଗ ମିଳିବା ଉଚିତ। ମଞ୍ଜୁଳା ଶ୍ରୀବାସ୍ତବ ନାମ୍ନୀ ଜଣେ ମହିଳାଙ୍କ ଆବେଦନ ପରେ ଶୁଣାଣି କରି ହାଇର୍କୋ ଉପରୋକ୍ତ ରାୟ ଦେଇଥିଲେ।
Powered by Froala Editor
