ଏହି ଦେଶରେ ଆସିଲାଣି କରୋନର ପଞ୍ଚମ ଲହର, ରୁହନ୍ତୁ ସତର୍କ

ଏହି ଦେଶରେ ଆସିଲାଣି କରୋନର ପଞ୍ଚମ ଲହର, ରୁହନ୍ତୁ ସତର୍କ

ଜାତୀୟ ଖବର

ପ୍ୟାରିସ: ଟିକା ପରେ ଟିକା ବାହାରୁଛି। ଲୋକେ ଦୁଇ ଡେଜ୍‌ ଟିକା ନେଇ ବେପରୁଆ ହୋଇ ଗଲେଣି। ସବୁ ଆଡ଼େ ଭିଡ଼ ଦେଖାଯାଉଛି। ମହାମାରୀ ଚାଲିଗଲାଣି ବୋଲି ଲୋକେ ଭାବିଲେଣି। ହେଲେ  ପୁଣି ମୁଣ୍ଡଟେକିଛି ଘାତକ ଭାଇରସ। ଆରମ୍ଭ ହୋଇଛି କରୋନାର ପଞ୍ଚମ ଲହର। ଫ୍ରାନ୍ସରେ ପୁଣି କାୟା ମେଲାଇଛି କୋଭିଡ-୧୯। ଏନେଇ ବୁଧବାର ଦିନ ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।

ଟିଏଫ୍-ୱାନ୍ ଟେଲିଭିଜନ୍ ସହ ସାକ୍ଷାତ୍କାର ବେଳେ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିୟର ବ୍ୟାରନ୍ ସୁନିଶ୍ଚିତ କରି କହିଛନ୍ତି ଯେ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେତେକ ପଡ଼ୋଶୀ ରାଷ୍ଟ୍ରଙ୍କ ଭଳି ସମ୍ପ୍ରତି ଦେଶ ମହାମାରୀର ପଞ୍ଚମ ଲହରର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି।

କେତେକ ପଡ଼ୋଶୀ ରାଷ୍ଟ୍ର ଇତିମଧ୍ୟରେ କୋଭିଡ୍ ମହାମାରୀର ୫ମ ଲହର କବଳିତ ହୋଇସାରିଛନ୍ତି। ପୂର୍ବ ୱେଭ୍ ତୁଳନାରେ  ଏହା ଅଧିକ ଭୟଙ୍କର ବୋଲି ଜଣାପଡୁଛି। କୋଭିଡ୍ ପ୍ରୋଟକଲ ପାଳନ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଅଧିକରୁ ଅଧିକ ଟିକାକରଣ ଏବଂ ସ୍ୱଚ୍ଛତା ସହ ଆମେ ପଞ୍ଚମ ଲହରକୁ ମାତ୍ ଦେଇପାରିବା। ସମ୍ଭବତଃ ଆମେ ତାକୁ ପୂରାପୁରି ହରାଇପାରିବା ବୋଲି ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ବୁଧବାର ଦିନ ଫ୍ରାନ୍ସରେ ଲଗାତର ଦ୍ୱିତୀୟ ଦିନ ପାଇଁ ପ୍ରାୟ ୧୧, ୮୮୩ କରୋନାର ନୂଆ ମାମଲା ରେକର୍ଡ କରାଯାଇଛି। ଏହାକୁ ମିଶାଇ ଦେଶରେ ଏବେସୁଦ୍ଧା ୭୩ ଲକ୍ଷ ୪୬ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଲକ୍ଷେରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, କୌଣସି ବି ଦେଶରେ ଭାଇରସର ତୃତୀୟ ଲହର ସବୁଠାରୁ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଭାରତ ସମେତ ସାରା ବିଶ୍ୱ ଦ୍ୱିତୀୟ ଲହରର ଭୟାବହତାକୁ ଦେଖିସାରିଛନ୍ତି। କରୋନା ଯୋଗୁଁ ୟୁରୋପୀୟ ଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ପେନ ଏବଂ ସ୍ୱଡେନ୍ରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ସାରିଛି। କେବଳ ସେତିକି ନୁହେଁ ଆମେରିକାର ମଧ୍ୟ ଗତ ବର୍ଷ ଅକ୍ଟୋବର ଏବଂ ଡିସେମ୍ବର ମଧ୍ୟରେ ଆସିଥିବା କରୋନାର ଦ୍ୱିତୀୟ ଲହର ଭୟାବହତାକୁ ଅଙ୍ଗେ ନିଭାଇଛି। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

Powered by Froala Editor