ବିଜେଡି ଚକ୍ରାନ୍ତ ବିଫଳ, ବନ୍ଦ ସଫଳ
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରା ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ କରାଯାଇଥିବା ଧର୍ମଘଟ ସଫଳ ହୋଇଛି । ତଥାପି ଆଗାମୀ ଦିନରେ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି । ଖାଲି ସେତିକି ନୁହେଁ ମମିତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଏ ପ୍ରସଙ୍ଗ ବିଧାନସଭାକୁ ନେବ ବୋଲି କହିଛି।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି, ରାଜ୍ୟ କାର୍ଯ୍ୟକାରିଣୀର ଅନୁମତି କ୍ରମେ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ୬ଘଂଟିଆ ଧର୍ମଘଟ କରାଯାଇଥିଲା। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା। ଏହି ଆହ୍ୱାନ ସଫଳତା ପାଇଛି।
କଂଗ୍ରେସର ଏହି ଧର୍ମଘଟ ଡାକରାରେ ବିରୋଧୀ ବିଜେଡି ସରକାର ଭୟଭୀତ ହେଇପଡିଛି। ଧର୍ମଘଟକୁ ଭଣ୍ଡୁର କରିବା ଲାଗି ପରୋକ୍ଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ମାନି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କଲେ। ହେଲେ ସଂଗ୍ରାମ ଏଇଠି ଶେଷ ହେବ ନାହିଁ। ଏ ଲଢେଇ ଆଗାମୀ ଦିନରେ ଜାରି ରହିବ। ମମିତାଙ୍କ ପରିବାରକୁ ଯେପର୍ଯ୍ୟନ୍ତ ନ୍ୟାୟ ମିଳିନି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଇ ନାହାନ୍ତି, କଂଗ୍ରେସ ଚୁପ ବସିବ ନାହିଁ । ଦରକାର ପଡ଼ିଲେ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି ।
ସେହିପରି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିଜେଡି ସରକାର ଅହଙ୍କାର ସୀମା ପାର କରିଛି। ମମିତା ମେହେରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ନୂଆ କରି କଂଗ୍ରେସ ଧର୍ମଘଟ ପାଳନ କରୁନାହିଁ। ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଂଚକତା କରିଛନ୍ତି। ସରକାରର ଅସଲ ଚେହେରାକୁ ପଦାରେ ପକାଇଛି। ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥଲେ ବନ୍ଦକୁ ବିଫଳ କରିବା ପାଇଁ, ତାହା ହୋଇପାରିଲା ନାହିଁ।
ମମିତା ମେହେର ସମ୍ପର୍କରେ କଂଗ୍ରେସର ନିଷ୍ପତି ବନ୍ଦ ଡାକରା ଥିଲା। ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ମଂଚରେ ବସାଇ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ କଲେ । ଦିବ୍ୟଶଙ୍କର ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରି ରଖିବ । ସତକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର। ରାଜ୍ୟ ନାରୀଙ୍କୁ ସୁରକ୍ଷା ମିଳୁନି ବୋଲି ସମସ୍ତେ ଜାଣି ସାରିଲେଣି। କେବଳ କ୍ଷମତା ଓ ନିର୍ବାଚନ ବିଜୟକୁ ଲକ୍ଷ୍ୟ କରିଛି ବିଜେଡି।
ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫଦାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ହୋଇଥିବା ମକଦ୍ଦମା ଲଢୁଥିଲେ, ସେମାନେ ବିଜେଡି ଲିଗାଲ ସେଲର କର୍ମକର୍ତା। ବିଜେଡି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା, ତାହା ସଫଳ ହେଲା ନାହିଁ। ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳ ଗୁଡିକ ପାଇଁ ଲାଗୁ ହେବା ଉଚିତ। କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ।
ବିଧାୟକ ସନ୍ତୋଷ ସିଂହ ସଲୁଜା କହିଛନ୍ତି, କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇ ପୋଲିସ ବାରାକରେ ରଖାଗଲା ଏବଂ ଫେରାର ହେବା ପାଇଁ ସୁଯୋଗ ଦିଆଗଲା। ଏବେ ମମିତାଙ୍କ ପରିବାରକୁ ଡ଼ରାଇ ବୟାନ ପରିବର୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇ ଦେଖିଲେ ବି ପଦକ୍ଷେପ ନେଉଥିଲେ। କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଂଚରେ ବସାଉଛନ୍ତି । ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଂଟ ଘୋଡ଼ାଉଛନ୍ତି । ପୋଲିସ ଗୁଣ୍ଡା ଲଗାଇ ଏ ସରକାର କଂଗ୍ରେସର ହରତାଲକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ବିଧାନସଭାରେ ମଧ୍ୟ କଂଗ୍ରେସ ମମିତା ମେହେର ପ୍ରସଙ୍ଗ ଉଠାଇବ।
Powered by Froala Editor
