ଭୁବନେଶ୍ବର: ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଭାରତର କୌଣସି ରାଜ୍ୟର ରାଜ୍ୟପାଳ ହୋଇ ପାରନ୍ତି ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବିଜେଡିରେ ଏକପ୍ରକାର କଣଠେସା ହୋଇଯାଇଥିବା ବାବା ପ୍ରସନ୍ନ ବିଜେଡି ପ୍ରତି ଅସନ୍ତୋଷ ଅଛନ୍ତି। ଖୁବ୍ଶୀଘ୍ର ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। ସେ ବିଜେପିରେ ଯୋଗ ଦେବା ଏବଂ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ତାଙ୍କୁ ରାଜ୍ୟପାଳ ଭବେ ନିଯୁକ୍ତ କରାଯାଇ ପାରେ ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେବେ। ବାରମ୍ବାର ଲାମ୍ବା ବ୍ୟବଧାନରେ ଭୁବନେଶ୍ବର ପରି ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେଉଥିବା ପ୍ରସନ୍ନଙ୍କୁ କିନ୍ତୁ ୨୦୧୯ରେ ଟିକେଟ୍ ମିଳି ନଥିଲା। ବିଜେଡି ପକ୍ଷରୁ ପୂର୍ବତନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଇଥିଲା। ଯେଉଁ ଆସନୁର ପ୍ରସନ୍ନ ଲମ୍ବା ବ୍ୟବଧାନରେ ବିଜୟୀ ହେଉଥିଲେ ସେହି ଆସନରୁ କିନ୍ତୁ ଅରୂପ ବିଜେପିର ଅପରାଜିତ ଷଡ଼ଙ୍ଗୀଙ୍କଠାରୁ ପରାଜିତ ହୋଇଥିଲେ। ତେବେ ପ୍ରସନ୍ନଙ୍କୁ ଟିକେଟ୍ ପ୍ରଦାନରୁ ବଞ୍ଚିତ କରାଯାଇଥିଲେ ମଧ୍ୟ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଆଶ୍ବାସନା ଦିଆଯାଇଥିଲା। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ରାଜ୍ୟସଭା ପଠାଯାଇ ନାହିଁ। ଫଳରେ ଏହାକୁ ନେଇ ସେ ଅସନ୍ତୋଷରେ ଅଛନ୍ତି। ସେହିପରି ରାଜଧାନୀରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁ ନାହିଁ। ଏସବୁକୁ ନେଇ ଅସନ୍ତୋରେ ଥିବା ପ୍ରସନ୍ନ ବିଜେପିରେ ଯୋଗ ଦେବେ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ଯଦି ସବୁ କିଛି ଠିକ୍ ଠାକ୍ ଚାଲେ ତେବେ ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟପାଳ ହୋଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।
Powered by Froala Editor
