ଅଗରତାଲା: ତ୍ରିପୁରା ହଂସା ଘଟଣାରେ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ତ୍ରିପୁରା ପୁଲିସ ଦୁଇ ସାମ୍ବାଦିକଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଥିବା ଜଣାପଡ଼ିଛି। ସେ ହେଲେ ଝାରସୁଗୁଡ଼ାର ଏସ୍. ସାକୁନିଆ ଓ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା। ଦିଲ୍ଲୀର ଏକ ନ୍ୟୁଜ୍ ପୋର୍ଟାଲରେ କାମ କରୁଥିବା ସାକୁନିଆ ଓ ତାଙ୍କ ସହଯୋଗୀ ସ୍ୱର୍ଣ୍ଣ ଝା ରିପୋର୍ଟିଂ ପାଇଁ ତ୍ରିପୁରା ଯାଉଥିଲେ। ତେବେ ଗୁଆହାଟୀ ଅଭିମୁଖେ ଯାତ୍ରା କରୁଥିବାବେଳେ ଆସାମର କରିମଗଞ୍ଜରେ ପୁଲିସ ତାଙ୍କୁ ଅଟକ ରଖିଥିଲା।
ଏହା ପୂର୍ବରୁ ହିଂସାକୁ ଉସୁକାଇବା ଅଭିଯୋଗରେ ଗତକାଲି ସକାଳେ ତାଙ୍କୁ ତ୍ରିପୁରା ପୁଲିସ ଧାରା ୧୫୩ (କ)ରେ ନୋଟିସ ଜାରି କରିଥିଲା। ଏନେଇ ଦୁହିଁଙ୍କ ବିରୋଧରେ ଉନାକୋଟି ଜିଲ୍ଲାର ଫଟିକରୟ ଥାନାରେ ୧୨୦ (ଖ) ଆଇପିସିରେ ମାମଲା ରୁଜୁ ହୋଇଥିଲା। ଏହାସହ ଅଗରତାଲା ପୁଲିସ ନିକଟରେ ବୟାନ ରେକର୍ଡ କରିବାକୁ କୁହାଯାଇଥିଲା।
ରିପୋର୍ଟିଂ ପାଇଁ ଅଗରତାଲା ଯାଉଥିବା ସାକୁନିଆ ଓ ସ୍ୱର୍ଣ୍ଣ ଝା ପୁଲିସ ନଜରରୁ ବର୍ତ୍ତିବା ଲାଗି କୁମରଘାଟରେ ରାସ୍ତା ବଦଳାଇ ଆସାମର ଗୌହାଟୀ ଯାତ୍ରା କରିଥିଲେ ବୋଲି ପୁଲିସ କହିଛି। ଏନେଇ ଅଗରତାଲା ପୁଲିସ ଆସାମ ପୁଲିସକୁ ଜଣାଇବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ଦୁହିଁଙ୍କୁ ନିଲମବଜାର ଥାନାରେ ତ୍ରିପୁରା ପୁଲିସକୁ ହସ୍ତାନ୍ତର କରାଯାଇଛି। ପରେ ତାଙ୍କୁ ଉଦୟପୁର ନିଆଯାଇ ଜେରା କରାଯାଉଛି। ତେବେ ପୁଲିସ ତାଙ୍କୁ ଅଟକ ରଖିଥିବା ନେଇ ସାକୁନିଆ ଟ୍ୱିଟ୍ କରି ଜଣାଇଛନ୍ତି। ଏଥିସହ ପୁଲିସ ତାଙ୍କୁ ଧମକାଇଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ, ତ୍ରିପୁରାରେ ମସ୍ଜିଦ ଭଙ୍ଗା ଓ କ୍ଷୟକ୍ଷତି ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ କରିବା ନେଇ ଏହି ଦୁଇ ସାମ୍ବାଦିକାଙ୍କ ବିରୋଧରେ ଅଭିଯୋଗ ରହିଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଦୃଢ଼ ଭାବେ ସମାଲୋଚନା କରାଯାଇଛି।
Powered by Froala Editor
