ଭୁବନେଶ୍ୱର:ଦୁର୍ନୀତି ପାଇଁ ଚାକିରିରୁ ବିଦା ହେଲେ ଓଡିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ କୁମାର ସାମଲ। ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଶ୍ରୀ ସାମଲ ନିଲମ୍ବିତ ହୋଇଥିଲେ। ଆଜି ପୂରା ବିଦା ହେଲେ । ନିକଟରେ ତାଙ୍କ ବାସଭବନ ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରଯାଇ ବ୍ୟାପକ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଠାବ ହୋଇଥିଲା ବିରାଟ ବିରାଟ କୋଠାବାଡ଼ି। ଭିଜିଲାନ୍ସ ଚଢ଼ାଉ ଦେଖି ବିକଳରେ ସେ ଲକ୍ଷଲକ୍ଷ ଟଙ୍କା ଘର ବାହାରକୁ ଫିଙ୍ଗି ଦେଇଥିଲେ । ପଡ଼ିଶା ଘର ଛାତରୁ ବିଡା ବିଡା ଟଙ୍କା ପାଇଥିଲା ଭିଜିଲାନ୍ସ। ଟଙ୍କା ଆୟ ବାହାର ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ ବି ଚକିତ ହୋଇଥିଲା। ଫିଲ୍ମ ନିର୍ମାଣରେ ବି ତାଙ୍କ ଟଙ୍କା ଲାଗିଥିଲା। ପ୍ରଥମେ ତାଙ୍କୁ ନିଲମ୍ବନ କରାଯାଇଥିବାବେଳେ ଆଜି ଚାକିରିରୁ ବିଦା କରାଯାଇଛି। ଏହାକୁ ମିଶାଇ ବର୍ତ୍ତମନ ସୁଦ୍ଧା ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି ।
