ଚେନ୍ନାଇ : ତାମିଲନାଡ଼ୁରୁ ଆସିଛି ଚର୍ଚ୍ଚିତ ଖବର। କନ୍ୟା ଅଭାବରୁ ବିବାହ କରିପାରୁ ନାହାନ୍ତି ୪୦,୦୦୦ରୁ ଅଧିକ ତାମିଲ ବ୍ରାହ୍ମଣ ଯୁବକ। ବାହା ହେବା ପାଇଁ ତାମିଲନାଡ଼ୁରେ କନ୍ୟା ମିଳୁନାହାନ୍ତି । ତେଣୁ ରାଜ୍ୟର ଏକ ବ୍ରାହ୍ମଣ ସଂଗଠନ ଅବିବାହିତ ବ୍ରାହ୍ମଣ ଯୁବକଙ୍କ ପାଇଁ ଉତ୍ତରପ୍ରଦେଶ ଓ ବିହାରରୁ ନିଜ ସମ୍ପ୍ରଦାୟର ପାତ୍ରୀ ଖୋଜିବା ପାଇଁ ଏକ ପଦକ୍ଷେପ ହାତକୁ ନେଇଥିବା ଜଣାପଡ଼ିଛି। ତାମିଲନାଡ଼ୁ ବ୍ରାହ୍ମଣ ସଂଗଠନ (ଥାମ୍ବ୍ରାସ)ର ସଭାପତି ଏନ୍ ନାରାୟଣନ୍ କହିଛନ୍ତି ଯେ, ସେମାନେ ତାଙ୍କ ସମ୍ପ୍ରଦାୟର ଅବିବାହିତ ଯୁବକମାନଙ୍କ ଲାଗି ବାହାର ରାଜ୍ୟରେ ପାତ୍ରୀ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ସଂଘ ତରଫରୁ ପ୍ରକାଶିତ ମାସିକ ତାମିଲ ପତ୍ରିକାର ନଭେମ୍ବର ସଂଖ୍ୟାରେ ସେ ଲେଖିଛନ୍ତି ଯେ ତାମିଲନାଡ଼ୁରେ ବିବାହଯୋଗ୍ୟ ବୟସର ୧୦ ବ୍ରାହ୍ମଣ ଯୁବକଙ୍କ ପାଇଁ ମାତ୍ର ଛଅ କନ୍ୟା ମିଳୁଛନ୍ତି ।
ତେଣୁ ପଡେ଼ାଶୀ ରାଜ୍ୟରୁ ପାତ୍ରୀ ଖୋଜିବା ଓ ସେମାନଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଦିଲ୍ଲୀ, ଲକ୍ଷ୍ନୌ ଓ ପାଟନାରେ ସଂଯୋଜକ ନିଯୁକ୍ତ କରାଯିବ। ହିନ୍ଦୀ ପଢ଼ି, ଲେଖି ଓ କହି ପାରୁଥିବା ବ୍ୟକ୍ତିଙ୍କୁ ସଂଘର ମୁଖ୍ୟାଳୟରେ ନିଯୁକ୍ତି ଦିଆଯିବ। ଏମ୍ ପରମେଶ୍ୱରନ ନାମକ ଜଣେ ଶିକ୍ଷାବିତ୍ କହିଛନ୍ତି, ବାହାଘର ପାଇଁ ଝିଅ ମିଳୁ ନ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣ୍ଡପମାନଙ୍କରେ ଆଡ଼ମ୍ବରପୂର୍ଣ୍ଣ ବାହାଘର କାହିଁକି କରାଯାଉଛି ? କାହିଁକି ଘରେ ବା ମନ୍ଦିରରେ ନିରାଡ଼ମ୍ବରରେ ବାହାଘର ହୋଇପାରିବନି? ବାହାଘରରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଝିଅ ଜନ୍ମ କରିବାକୁ ଲୋକେ ଡରୁଛନ୍ତି। ତେଣୁ ବାହାଘରକୁ ନିରାଡ଼ମ୍ବର କରିବା ପାଇଁ ସମସ୍ତେ ପ୍ରଯତ୍ନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
Powered by Froala Editor
