କଟକରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

କଟକରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ରାଜ୍ୟ ଖବର

କଟକ: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ କଂଗ୍ରେସ ଆରମ୍ଭ କରିଛି ଜନଜାଗରଣ ଯାତ୍ରା। କଟକରେ ଏହାର ଶୁଭାରମ୍ଭ ହୋଇଛି । କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ମାହାଙ୍ଗା ଓ ବାଙ୍କୀ ନିର୍ବାଚନମଣ୍ଡଳୀରେ ଏ ନେଇ ବିରାଟ ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିଲା। ହଜାର ହଜାର କର୍ମୀ ଏଥିରେ ସାମିଲ ହୋଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଓ କାର୍ଯ୍ୟ ବାବଦରେ ଲୋକଙ୍କୁ ଅବଗତ କରାଯାଇଥିଲା। 

ବାଙ୍କୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ନିକଟରେ ବାଙ୍କୀରେ ହୋଇଥିବା ହତ୍ୟାକାଣ୍ଡ ନେଇ ରାଜ୍ୟ ସରକାର ଓ ବିଜେଡି ବିରୋଧରେ ବର୍ଷିଥିଲେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର। ଏ ନେଇ କଂଗ୍ରେସ ଆନ୍ଦୋଳନ ଜାରି ରଖିବା ସହ ଏଭଳି ଦାରୁଣ ଦୁଃଖ ସହିଥିବା ପରିବାର ସହ କଂଗ୍ରେସ ସବୁବେଳେ ଛିଡ଼ା ରହିବ ବୋଲି ସେ କହିଥିଲେ। ଜିଲ୍ଲା ସଭାପତି ଶ୍ରୀ ଚୌଧୁରୀ ରାଜ୍ୟ ସରକାରଙ୍କ ଅପାରଗତା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବର୍ଷିଥିଲେ। ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକ ମଧ୍ୟ ନବୀନ ସରକାର ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସହପ୍ରଭାରୀ ରୁଦ୍ର ରାଜୁଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ କଂଗ୍ରେସର ଏଭଳି ମେଗା ଶକ୍ତି ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି।

ଏହା ପୂର୍ବରୁ ମାହାଙ୍ଗାରେ ଆଜି କଂଗ୍ରେସ ବିରାଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ଦେବେନ୍ଦ୍ର ସାହୁ, ଛାତ୍ର କଂଗ୍ରେସ ସଭାପତି ୟାସିର ନାୱାଜ, ରୁଦ୍ର ରାଜୁଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ବି ଆୟୋଜନ ହୋଇଥିଲା। ଆଜି ବିରାଟ ରାଲି ହୋଇଥିଲା ସାଲେପୁରରେ ବି। ପ୍ରଭାରୀ ଶ୍ରୀ ଚେଲ୍ଲାକୁମାରଙ୍କୁ ସ୍ୱାଗତ ଜଣାଇବା ପାଇଁ ରାସ୍ତାରେ ହଜାର ହଜାର କର୍ମୀ ଜମା ହୋଇଥଲେ । ଜିଲ୍ଲା ସଭାପତି ଭାବେ ମାନସ ଚୌଧୁରୀ ନେତୃତ୍ୱ ନେବା ପରଠୁ କଟକରେ ପୁଣି କଂଗ୍ରେସ ସଙ୍ଘଠିତ ହୋଇ ଆଗକୁ ବଢୁଥିବା ଲକ୍ଷ୍ୟ କରାଯାଉଛି। ଏହା ତୃଣମୂଳ ସ୍ତରରେ କାମ କରୁଥିବା କର୍ମୀଙ୍କୁ ବେଶ ଉତ୍ସାହିତ କରୁଛି।

Powered by Froala Editor