ଜୟପୁର: ରାଜସ୍ଥାନ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅଜି ଅନୁଷ୍ଠିତ ହେବ। କ୍ୟାବିନେଟ୍ର ୩୦ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୫ଜଣ ବିଧାୟକଙ୍କୁ ନୂଆ ମନ୍ତ୍ରୀ ଭାବେ ସାମିଲ କରାଯିବ ବୋଲି ଶନିବାର ରାତିରେ ଜଣାପଡ଼ିଛି। ଶନିବାର ସନ୍ଧ୍ୟାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ସହ ପୁରଣା କ୍ୟାବିନେଟ୍ର ମନ୍ତ୍ରୀମାନେ ଦେଇଥିବା ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ।
ନୂଆ କ୍ୟାବିନେଟ୍ ସଦସ୍ୟମାନଙ୍କ ମଧ୍ୟରୁ ୪ଜଣ ହେବେ କନିଷ୍ଠ ମନ୍ତ୍ରୀ। ଏହା ବ୍ୟତିରେକେ, କ୍ୟାବିନେଟ୍ରେ ସଚିନ ପାଇଲଟ୍ଙ୍କର ୫ଜଣ ଆନୁଗତ୍ୟଙ୍କୁ ମଧ୍ୟ ସାମିଲ କରାଯାଇଛି। ସେମାନେ ହେଉଛନ୍ତି ହେମାରାମ ଚୌଧୁରୀ, ବିଶ୍ବେନ୍ଦ୍ର ସିଂହ, ରମେଶ ମୀଣା, ବ୍ରଜେନ୍ଦ୍ର ସିଂହ ଓଲା ଏବଂ ମୁରାରୀଲାଲ୍ ମୀଣା।
ଅନ୍ୟ ନୂତନ ମନ୍ତ୍ରୀମାନେ ହେଉଛନ୍ତି ମହେନ୍ଦ୍ରଜୀତ୍ ସିଂହ ମାଲବ୍ୟ, ରାମଲାଲ୍ ଜାଟ୍, ମହେଶ ଯୋଶୀ, ମମତା ଭୂପେଶ ବୈର୍ୱା, ଟିକାରାମ ଜୁଲୀ, ଭଜନଲାଲ୍ ଜାଟବ, ଗୋବିନ୍ଦ ରାମ ମେଘୱାଲା, ଶକୁନ୍ତଳା ରାୱତ୍, ଜାହିଦା ଖାଁ ଏବଂ ରାଜେନ୍ଦ୍ର ସିଂହ ଗୁଢ଼ା।
କ୍ୟାବିନେଟ୍ ପନର୍ଗଠନ ପରେ ସଚିନ ପାଇଲଟ୍ଙ୍କୁ କି ଭୂମିକା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ। ଗୁଜରାଟର ଦଳୀୟ ବ୍ୟାପାର ଦାୟିତ୍ବରେ ପାଇଲଟ୍ଙ୍କୁ ରଖିବା ଲାଗି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଚାହାଁନ୍ତି ବୋଲି ଶୁଣାଯାଉଛି।
Powered by Froala Editor
