ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ବିଚାରପତି ନିଯୁକ୍ତି କରାଯାଇପାରେ: ରାଷ୍ଟ୍ରପତି

ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ବିଚାରପତି ନିଯୁକ୍ତି କରାଯାଇପାରେ: ରାଷ୍ଟ୍ରପତି

ଜାତୀୟ ଖବର

ନୂଆଦିଲ୍ଲୀ: ବିଚାରପତିମାନେ ବିଚାରପତିଙ୍କୁ ବାଛିବା ଏକ ଭୁଲ୍ ପରମ୍ପରା, ଏଥିରେ ସଂସ୍କାର ଅଣାଯିବା ଉଚିତ। ଶନିବାର ବିଜ୍ଞାନ ଭବନରେ ଅନୁଷ୍ଠିତ ସମ୍ବିଧାନ ଦିବସରେ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ସେ ଆହୁରି କହିଛନ୍ତି,  ଏକ ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ଉଚ୍ଚସ୍ତରୀୟ ବିଚାରପତି ନିଯୁକ୍ତି କରାଯାଇପାରେ। ସାମ୍ପ୍ରତିକ କଲେଜିୟମ୍ ବ୍ୟବସ୍ଥାରେ ବିଚାରପତିମାନେ ବିଚାରପତିଙ୍କୁ ମନୋନୀତ କରିଥାନ୍ତି । କେନ୍ଦ୍ର ସରକାର ଏହାକୁ ବଦଳାଇବା ପାଇଁ ଏକ ଆଇନ ଆଣିଥିଲେ- ଏନଜେଏସି ଆକ୍ଟ, ଯାହାକୁ ସୁପ୍ରିମକୋର୍ଟ ଛଅ ବର୍ଷ ତଳେ ଅଗ୍ରାହ୍ୟ କରିଦେଇଥିଲେ । ସମ୍ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଣି ସେହି କଥାକୁ ଦୋହରାଇଛନ୍ତି। କୋବିନ୍ଦ କହିଥିଲେ ଯେ ବିଚାରପତି ଚୟନ ପ୍ରକ୍ରିୟାରେ ସଂସ୍କାର ଏକ ଉପଯୁକ୍ତ ପ୍ରସଙ୍ଗ । ବିଚାରବିଭାଗର ସ୍ୱାଧୀନତାକୁ କ୍ଷୁଣ୍ଣ ନ କରି ତା’ ଉପରେ ଆଲୋଚନା କରାଯିବା ଉଚିତ । ବିଚାର ବିଭାଗର ସ୍ୱାଧୀନତାକୁ କ୍ଷୁଣ୍ଣ ନ କରି ବିଚାରପତି ଚୟନ ପ୍ରକ୍ରିୟାକୁ ଆହୁରି ଭଲ କରାଯାଇପାରେ । ପ୍ରଧାନ ବିଚାରପତି ଏନଭି ରମଣା, ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଏବଂ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଏଥିରେ ଯୋଗ ଦେଇ କୋବିନ୍ଦଙ୍କ ଭାଷଣ ଶୁଣିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ଏକ ସର୍ବଭାରତୀୟ ଜୁଡ଼ିସିଆଲ ସର୍ଭିସ ବ୍ୟବସ୍ଥା କରାଯାଇପାରେ । ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ତଳୁ ଉପର ସ୍ତର ପର୍ୟ୍ୟନ୍ତ ବିଚାରପତିମାନଙ୍କୁ ଯୋଗ୍ୟତା ଭିତ୍ତିରେ ଚୟନ କରାଯାଇପାରେ ଏବଂ ପଦୋନ୍ନତି ବି ଦିଆଯାଇପାରେ । ଏ ଚିନ୍ତାଧାରା ନୂଆ ନୁହେଁ, ପ୍ରାୟ ୫୦ ବର୍ଷ ତଳର; କିନ୍ତୁ ଏଯାଏ ତା’ର ପରୀକ୍ଷା କରାଯାଇ ନାହିଁ । ଏହା ଉପରେ ଆଲୋଚନା ହେଲେ ଅଧିକ ଭଲ ପ୍ରସ୍ତାବ ମଧ୍ୟ ମିଳିପାରେ ବୋଲି ସେ କହିଥିଲେ ।


Powered by Froala Editor