ବ୍ରହ୍ମପୁର: ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାରେ ଏସ୍ଡିଜେଏମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉଭୟ ସୁମିତ, ତପସ୍ୱିନୀଙ୍କୁ ୭ ଦିନ ଏକାଠି ରହିବାକୁ ଏସ୍ଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି। ଆସିକାରେ ଏକ ଭଡ଼ା ଘରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଭଡ଼ା ଘର ଠିକ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସକା ଥାନା ଆଇଆଇସି। ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ।ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ଡିମ୍ପଲ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ।
ପରବର୍ତ୍ତୀ ସମୟରେ ତପସ୍ୱିନୀଙ୍କୁ ବୋହୂ ବୋଲି ସ୍ୱୀକାର କରିଥିଲେ ସୁମିତଙ୍କ ବାପା। ଏପରିକି ସୁମିତ ମଧ୍ୟ ବାହା ହୋଇଥିବା ମାନିଥିଲେ। ତେବେ ମାମଲା କୋର୍ଟରେ ବିଚାର ଚାଲିଥିବାରୁ ମୁଁ କିଛି କରିପାରିବି ନାହିଁ ବୋଲି ସୁମିତ କହିଥିଲେ। ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଉଭୟଙ୍କୁ ୭ ଦିନ ଏକସଙ୍ଗେ ରହିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ।
Powered by Froala Editor
