କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆ ନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ ହୋଇଛି । ଆସନ୍ତା ୧୦ ତାରିଖ ମଧ୍ୟରେ ନୋଟିସର ଉତ୍ତର ରଖିଵାକୁ ଥାନା ଅଧିକାରୀ ନିହାର ମହାନ୍ତିଙ୍କୁ ନିର୍ଦ୍ଦେଶ ସାଲେପୁର ଜେଏମଏଫସି।
ଏଥିସହ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ତାରିଖ ପରେ ତାରିଖ ବଦଳାଉଥିଲେ ଥାନାଧିକାରୀ । କେବଳ ସେତିକି ନୁହେଁ, ଆଦେଶ ସତ୍ତ୍ବେ ଗତକାଲି କୋର୍ଟରେ ହାଜର ହୋଇନଥିଲେ ଥାନାଧିକାରୀ ନିହାର ମହାନ୍ତି । ତେବେ ମାହାଙ୍ଗା ପୋଲିସ ମାଗିଥିବା ଏକ ମାସ ସମୟ ପିଟିସନକୁ ଖାରଜ କରିଦେଇଛନ୍ତି ଜେଏମଏଫସି କୋର୍ଟ ।ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଥାନାରେ ଦିଆଇଥିବା FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଥିଲା । ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ FIRରୁ କାଟି ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ।ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ କରିବାକୁ ମାହାଙ୍ଗା ଥାନା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି । ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ବି ଗତ ୩ ମାସ ହେଲା ସମୟ ଗଡାଇ ଚାଲିଥିଲା ପୋଲିସ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ତେବେ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ଏହି ମାମଲାରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ବାପି ବିଶ୍ବାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ବାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ CDR Report ନଭେମ୍ବର ୨୯ ତାରିଖ ସୁଦ୍ଧା କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁରଜେଏମଏଫସି କୋର୍ଟ । ପୋଲିସ ମଧ୍ୟ ଏହା ଦାଖଲ କରିବାରେ ବିଫଳ ହୋଇଥିଲା।
ପରବର୍ତ୍ତୀ ସମୟରେ ଗତ ଡିସେମ୍ବର ୨ ତାରିଖରେ CDR Report ଓ ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗତ ୨ ତାରିଖରେ ବି ପୋଲିସ ରିପୋର୍ଟ ଦାଖଲ କରିନଥିଲା। ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିବା ସହ IIC ଙ୍କୁ ୩ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର IIC ୩ ତାରିଖରେ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ସରକାରୀ ଓକିଲ ମାଧ୍ୟମରେ ୪ ସପ୍ତାହ ସମୟ ମାଗିଥିଲେ । ଯାହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିବା ସହ କୋର୍ଟ ଅବମାନନା କରାଯାଇଥିବା ଅନୁଭବ କରିଥିଲେ । ତେବେ ଆସନ୍ତା ୧୦ ତାରିଖ ସାଢେ ୧୦ ଟା ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ତିନି ଜଣଙ୍କ CDR Report ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
Powered by Froala Editor
