କାହିଁକି ସମ୍ବଦ୍ଧ୍ୱର୍ନା ସଭାକୁ ଗଲେନି ଅପରାଜିତା ?

କାହିଁକି ସମ୍ବଦ୍ଧ୍ୱର୍ନା ସଭାକୁ ଗଲେନି ଅପରାଜିତା ?

ରାଜନୀତି

ଭୁବନେଶ୍ୱର : ରାଜ୍ୟ ବିଜେପିର ମାନ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଯେଉଁଠି ମିଶନ ୧୨୦ ନେଇ ଅଙ୍କ କଷା ହେଉଥିଲା ସେଇ ସଂସଦୀୟ କ୍ଷେତ୍ରରେ ଜଣେ ବି ବିଜେପି ବିଧାୟକ ପ୍ରାର୍ଥୀ ବିଜୟୀ ହୋଇପାରିନାହାନ୍ତି । ତଥାପିବି ସମସ୍ତଙ୍କୁ ଚକିତ କରି ନିଜ ଦମରେ ଭୁବନେଶ୍ୱର ଭଳି ସମ୍ମାନଜନକ ଆସନରୁ ପ୍ରଥମ ବିଜେପି ସାଂସଦ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଅପରାଜିତା । ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ନବନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ପାଇଁ ଦଳ ପକ୍ଷରୁ ଆୟୋଜିତ ଭବ୍ୟ ସମ୍ବଦ୍ଧ୍ୱର୍ନା ଉତ୍ସବକୁ କିନ୍ତୁ ଗଲେ ନାହିଁ ଅପରାଜିତା । ଯାହାକୁ ନେଇ ବିଜେପି ଅଳିନ୍ଦରୁ ରାଜ୍ୟ ରାଜନୀତିକ ମହଲ ପର୍ଯ୍ୟନ୍ତ ବେଶ ଚର୍ଚ୍ଚା ସୃଷ୍ଟିହୋଇଛି । ସକାଳେ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ଅପରାଜିତା । ତେବେ ଏଠାରେ ସୂଚାଇ ଦିଆଯାଇପାରେଯେ, ନିଜ ଟ୍ୱିଟରେ ସେ ପ୍ରାୟତଃ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମର ଫଟୋ ପୋଷ୍ଟ କରିଥାଆନ୍ତି । କିନ୍ତୁ ବିମାନବନ୍ଦରରେ ସ୍ୱାଗତର ଫଟୋ କିନ୍ତୁ ସେ ଛାଡ଼ିନାହାନ୍ତି । ନିଜ ଟ୍ୱିଟରେ ସେ କେବଳ ଗତକାଲି ରାଜ୍ୟପାଳଙ୍କୁ ଭେଟିବାର ଫଟୋ ଛାଡ଼ିଥିବା ଦେଖିବାକୁ ମିଳିଛି । ସମ୍ବଦ୍ଧ୍ୱର୍ନା ସଭାରେ ଖାଲି ଅପରାଜିତା ନୁହଁନ୍ତି ଜୁଏଲ ଓରାମ ଓ ସୁରେଶ ପୂଜାରୀ ବି ଅନୁପସ୍ଥିତ ଥିଲେ । ରାଜ୍ୟ ବିଜେପି ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଏଭଳି ଭବ୍ୟ ଆୟୋଜନ କରାଯିବା ନେଇ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା । ତଥାପିବି ବିଜେପିର ଦୁଇ ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଅନ୍ୟ କେତେକଙ୍କ ମତରେ ବିମାନବନ୍ଦରରେ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ଗଣ୍ଡଗୋଳକୁ ଅପରାଜିତା ସହଜରେ ଗ୍ରହଣ କରିପାରିନାହାନ୍ତି । ଜଣେ ଟାଣୁଆ ପ୍ରଶାସିକା ଭାବେ ସେ ଦଳରେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଅତୀତରେ ସେ ବିଶୃଙ୍ଖଳିତ କର୍ମୀଙ୍କୁ ଦଳରୁ ବାହାର ଯାଅ ବୋଲି ବି କହିବାକୁ ପଛେଇ ନଥିଲେ । ହୁଏତ ସେହି କାରଣରୁ ଆସିନଥିବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ, ସମ୍ବଦ୍ଧ୍ୱର୍ନା ସଭା ମଂଚରେ ଚଉକିକୁ ନେଇ କୁଆଡେ଼ ସେ ଅସନ୍ତୁଷ୍ଟ ଥିଲେ । ଏବେ ଅପରାଜିତା ଦଳର କୌଣସି ବଡ଼ ପଦ ପଦବୀରେ ନାହାନ୍ତି । ମଂଚ ଆଗଧାଡ଼ିରେ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତିଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ପାଇଁ ଚଉକି ପଡ଼ିଥିଲା । ପଛ ଧାଡ଼ିରେ ନୂତନ ସାଂସଦ ଓ ବିଧାୟକଙ୍କ ପାଇଁ ସ୍ଥାନ ରହିଥିଲା । ଅବଶ୍ୟ ସମ୍ବଦ୍ଧ୍ୱର୍ନା ବେଳେ ନୀତେଶ ଗଙ୍ଗଦେବ ଓ ବିଶ୍ୱେଶ୍ୱର ଟୁଡ଼ୁ ଆଗରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ମୂଳ କାରଣଟି ହେଉଛି ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କ ଭଳି ଆଗଧାଡ଼ିର ନେତାମାନେ ଆସିନଥିବାରୁ ହୁଏତ ସେମାନଙ୍କୁ ସୁଯୋଗ ମିଳିଥାଇପାରେ । ସଭାସ୍ଥଳକୁ ଅପରାଜିତା ନଆସିବାର ଏହା ଏକ କାରଣ ବୋଲି ବିଜେପି ଅଳିନ୍ଦରେ ବି ଚର୍ଚ୍ଚା ହେଉଛି । ତେବେ ଅପରାଜିତା ନିଜେ ଏଭଳି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । ଅସୁସ୍ଥତା କାରଣରୁ ସେ ଆସିନଥିଲେ ବୋଲି କହିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏହାତ ଆମେ କାମନା କରୁଛୁ । ତେବେ ରାଜନୈତିକ କ୍ଷେତ୍ରରେ ଅଧିକାଂଶ ସ୍ଥଳେ ଅସୁସ୍ଥତାକୁ ଏକ ବାହାନା ବୋଲି ବିବେଚନା କରାଯାଉଥିବାରୁ ଅପରାଜିତାଙ୍କ ଉପରେ ସମସ୍ତଙ୍କ ଦୃଷ୍ଟିନିବଦ୍ଧ ହେବବୋଲି ଆଶା କରାଯାଇପାରେ ।