କାଶୀ: ବାରାଣସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଦେଶ ତଥା ଦେଶ ବାହାରୁ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ତିଆରି ହୋଇଛି। ତେବେ ଆଜି ଉଦ୍ଘାଟନୀ କାର୍ୟ୍ୟକ୍ରମ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। କାର୍ୟ୍ୟକ୍ରମରେ ଯୋଗ ଦେଇ କାଶୀର ଐତିହାସିକ ଗାଥା ବଖାଣିବା ସହ ନୂଆ ପ୍ରକଳ୍ପର ବିଶେଷତ୍ୱ ବିଷୟରେ ମଧ୍ୟ ବଖାଣିଥିଲେ ମୋଦି। କାଶୀ-ବିଶ୍ୱନାଥ ଧାମ କରିଡର ପ୍ରାଚୀନ ଓ ନୂଆ ଐତିହ୍ୟର ମିଳନସ୍ଥଳ ବୋଲି ମୋଦି କହିଛନ୍ତି।
ଏହି ଅବସରରେ ମୋଦି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ନିର୍ମାଣ କରିଥିବା ଶ୍ରମିକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏମିତିକି କୋଭିଡ୍ ସମୟରେ ମଧ୍ୟ ଏହି ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ବନ୍ଦ ହୋଇ ନଥିଲା ବୋଲି ମୋଦି କହିଛନ୍ତି। କାଶୀ ବିଶ୍ୱନାଥ ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଗଲା ବୋଲି ମୋଦି କହିଛନ୍ତି। କାଶୀ-ବିଶ୍ୱନାଥ ଏକ ବିଶାଳ ଭବନ ହୋଇପାରେ କିନ୍ତୁ ଏହା ଆମ ସନାତନ ଧର୍ମ ଓ ସଂସ୍କୃତିର ପ୍ରତୀକ ବୋଲି ମୋଦି କହିଛନ୍ତି। ଏହି ସହର ଅନେକ ଯୁଗ ଧରି ବଞ୍ଚି ରହିଛି।
ଏହା ଅନେକ ସାମ୍ରାଜ୍ୟର ଉତ୍ଥାନ ଏବଂ ପତନକୁ ମଧ୍ୟ ଦେଖିଛି। ଏମିତି କେତେ କେତେ ପରୀକ୍ଷାକୁ ସାମ୍ନା କରି କାଶୀ ଦଣ୍ଡାୟମାନ ରହିଛି। କାଶୀ ଅନନ୍ତ। ଦେଶର ବିକାଶ ପ୍ରତି ଏହାର ଅବଦାନ ମଧ୍ୟ ଅସୀମ। ଏହାର ସଂସ୍କୃତି ପାଇଁ ନୂତନ ଭାରତ ଗର୍ବିତ ଏବଂ ଏହାର ଦକ୍ଷତା ଉପରେ ମଧ୍ୟ ଆତ୍ମବିଶ୍ୱାସ ରହିଛି। ଏହି ଅବସରରେ ସ୍ୱଚ୍ଛ ଭାରତ ପାଇଁ ମୋଦି ଆହ୍ୱାନ କରିଛନ୍ତି। ଏଥିସହ ୩ଟି ପ୍ରସ୍ତାବ ଉପରେ ମୋଦି ଆହ୍ୱାନ କରିଛନ୍ତି। ସ୍ୱଚ୍ଛତା, ନିର୍ମାଣ ଏବଂ ନବସୃଜନ ଭଳି ୩ଟି ସଙ୍କଳ୍ପ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ବେଶ ସହାୟକ ହେବ ବୋଲି ମୋଦି କହିଛନ୍ତି।
Powered by Froala Editor
