ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡ଼ର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି। ବୁଧବାର ରାଜ୍ୟର ଆଉ ବାକି ୨ ଜିଲ୍ଲା ଯାଜପୁର ଓ କେନ୍ଦ୍ରାପଡ଼ାରେ ବିଜୁ ହେଲଥ କାର୍ଡ ବାଣ୍ଟିବେ ନବୀନ। ସାରା ରାଜ୍ୟରେ ଏହି ବ୍ୟବସ୍ଥା ବୁଧବାର ଠାରୁ କାର୍ଯ୍ୟକ୍ଷମ ହେବ।
ଏଥର ପଞ୍ଚାୟତ ଭୋଟରେ ବିଜେଡି ଏହି ହେଲଥ ସ୍ମାର୍ଟ କାର୍ଡକୁ ବିଜୟର ଟ୍ରମ୍ପ କାର୍ଡ କରିବାକୁ ଯୋଜନା କରିଛି। ବିଜେଡି ସୂତ୍ର ଅନୁଯାୟୀ ଏହି କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହି କାର୍ଡ ବଣ୍ଟନ ପାଇଁ ପଞ୍ଚାୟତ ଭୋଟ ବିଗୁଲ ବାଜିବା ଆଗରୁ ନବୀନ ପ୍ରାୟ ସବୁ ଜିଲ୍ଲାରେ ପହଂଚି ସାରିଲେଣି, ଖାଲି ସେତିକି ନୁହେଁ ହଜାର ହଜାର କୋଟିର ପ୍ରକଳ୍ପ ବି ଭେଟି ଦେଲେଣି ନବୀନ। ଏହି କାର୍ଡ ବଣ୍ଟନ କାର୍ୟ୍ୟକ୍ରମ ଜରିଆରେ ବିଜେଡି ସବୁ ଜିଲ୍ଳାରେ ଶକ୍ତି ପ୍ରଦର୍ଶନ କରିବା ସହ ଲୋକଙ୍କ ଆହୁରି ନିକଟତର ହେବାକୁ ଚେଷ୍ଟା କରିଛି।
ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ୟ୍ୟକ୍ରମରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାକୁ ୧୦୦୦ କୋଟି ଟଙ୍କାର ପାଇପ ପାଣି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ ଏବଂ ଏହାଦ୍ବାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ନୟାଗଡର ମିଶନ ଶକ୍ତିର ମା ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସ୍ରେ ସୁବିଧା ପାଇଁ ୧୬୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି।
ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଂଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
Powered by Froala Editor
