ସାଢ଼େ ୩ କୋଟି ଲୋକ ଯୋଡ଼ି ହେଲେ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ

ସାଢ଼େ ୩ କୋଟି ଲୋକ ଯୋଡ଼ି ହେଲେ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ

ରାଜ୍ୟ ଖବର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାସହିତ ରାଜ୍ୟର ୩୦ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛି। କେନ୍ଦ୍ରାପଡ଼ାର ସାଢେ ୧୧ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ  ଯାଜପୁରର ୧୫ ଲକ୍ଷ ୪୦ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ। ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି। ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ୟ୍ୟକ୍ରମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ୟ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଆଜି ସ୍ମାର୍ଟ କାର୍ଡ ଶୁଭାରମ୍ଭ ଅବସରରେ ଯାଜପୁର ପାଇଁ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିପରି କେନ୍ଦ୍ରାପଡ଼ା ପାଇଁ ୧୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । 

Powered by Froala Editor