ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଖବର

ଭୁବନେଶ୍ବର:ଆମେ ଅନେକ ଉନ୍ନତି କରିଛୁ। ହେଲେ ଆମ ବାଟରେ ବାଧକ ହୋଇ ଛିଡା ହେଉଛି ପ୍ରାକୃତିକ ଦୁର୍ବିପାକ। ପ୍ରତିବର୍ଷ ବନ୍ୟା, ବାତ୍ୟା,ମରୁଡି, ଅନାବୃଷ୍ଟି ବ୍ୟାପକ କ୍ଷୟକ୍ଷତି କରୁଛି। ଏହାର ମୁକାବିଲା ପାଇଁ ଆମକୁ ସ୍ୱତନ୍ତ୍ର ସହାୟତା ଦିଅ। ଭିତ୍ତିଭୂମି ଛିଡା କରିବାକୁ ବି କେନ୍ଦ୍ରର ସ୍ୱତନ୍ତ୍ର ସହାୟତା ଦରକାର। ଯଦି କେନ୍ଦ୍ର ସରକାର ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍ୱତନ୍ତ୍ର ସହାୟତା ଦେବେ, ତାହେଲେ ଆମେ ବି ଅଗ୍ରଣୀ ରାଜ୍ୟ ସହ ତାଳ ଦେଇ ଆଗକୁ ବଢ଼ି ପାରିବୁ। ଆମକୁ କେନ୍ଦ୍ର ସ୍ୱତନ୍ତ୍ର ସହାୟତା ଦେଉ। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ଆଲୋଚନାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଲେ, ଗତ ଦୁଇ ଦଶନ୍ଧିରେ ଓଡ଼ିଶା ବ୍ୟାପକ ଅଗ୍ରଗତି କରିଛି। ଉଭୟ ସ୍ଥୁଳ ଅର୍ଥନୀତି ଓ ସାମାଜିକ ଅର୍ଥନୀତିରେ ଢେର ଅଭିବୃଦ୍ଧି ହୋଇଛି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଲେ,ପ୍ରତ୍ୟେକ ରାଜ୍ୟର ନିଜର ପ୍ରାଥମିକତା ଏବଂ ନିର୍ଦ୍ଦିଷ୍ଟତା ରହିଛି । ନିର୍ଦ୍ଦିଷ୍ଟ ବିକାଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରନ୍ତୁ ରାଜ୍ୟ ସରକାର, ନୀତି ଆୟୋଗ ସହାୟତା ଦେବା ଜାରି ରଖିବ।

ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଏବଂ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଣ୍ଟକୁ ପାଞ୍ଚ ପ୍ରତିଶତରୁ କମ୍ ପରିଚାଳନା ପାଇଁ ନୀତି ଆୟୋଗ ଅଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏସଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେବା ସହ ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ।

Powered by Froala Editor